Categories: ଜାତୀୟ

ସତର୍କ କରାଇଲେ ସିଜେଆଇ

ଚେନ୍ନାଇ,୨୩।୭: ପ୍ରଯୁକ୍ତି, ବିଶେଷ କରି ବହୁସଂଖ୍ୟାରେ ଲୋକଙ୍କ ସହ ତୁରନ୍ତ ଯୋଗାଯୋଗକୁ ସହଜ କରାଇଥିବା ସାମାଜିକ ଗଣମାଧ୍ୟମ ଏବଂ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ଯେପରି ଅପବ୍ୟବହାର ନ ହୁଏ, ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। କାରଣ ବ୍ୟକ୍ତି ମୂଲ୍ୟବୋଧ ଏବଂ ବ୍ୟକ୍ତିଗତ ଗୋପନୀୟତା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି। ସେ କହିଛନ୍ତି, ନୂଆ ପ୍ରଯୁକ୍ତି ଶୂନ୍ୟରେ ତିଷ୍ଠିପାରିବ ନାହିଁ। ସେଥିପାଇଁ ସେଗୁଡ଼ିକର ସୁବିନିଯୋଗ ଲାଗି ସୁରକ୍ଷିତ ବ୍ୟବସ୍ଥା କରିବାକୁ ହେବ। ସମ୍ଭାବ୍ୟ ବ୍ୟକ୍ତି ସ୍ବାଧୀନତା ଉଲ୍ଲଂଘନ ନେଇ ଲୋକଙ୍କ ମଧ୍ୟରେ ଯେପରି କୌଣସି ସନ୍ଦେହ ନ ରହେ, ସେଥିପାଇଁ ଟେକ୍‌ନୋଲୋଜିର ବ୍ୟବହାରକୁ ନିର୍ଭରଯୋଗ୍ୟ କରାଯିବା ଆବଶ୍ୟକ ବୋଲି ସିଜେଆଇ ମତ ଦେଇଛନ୍ତି।
ସୋସିଆଲ ମିଡିଆ ବୟସ ଓ ଜାତୀୟତା ପ୍ରତିବନ୍ଧକ ହଟାଇ ଲୋକମାନଙ୍କ ମଧ୍ୟରେ ଯୋଗାଯୋଗକୁ ସହଜ କରାଇଛି। କିନ୍ତୁ ଏହି ନୂଆ ଯୋଗାଯୋଗ ବ୍ୟବସ୍ଥା ଅନ୍‌ଲାଇନରେ ଗାଳିଦେବା ଓ ଟ୍ରୋଲ କରିବା ଆଚରଣକୁ ଜନ୍ମ ଦେଇଛି। ସେହିପରି ଏଆଇକୁ ଅପବ୍ୟବହାର, ବିଭ୍ରାନ୍ତ କରିବା, ଧମକ ଦେବା ଆଦିରେ ବ୍ୟବହାର କରାଯିବା ସମ୍ଭାବନା ରହିଛି। କ୍ଷତିକାରକ ଉଦ୍ଦେଶ୍ୟରେ ଏଆଇର ଅପବ୍ୟବହାରକୁ ରୋକାଯିବା ଜରୁରୀ ବୋଲି ଆଇଆଇଟି ମାଡ୍ରାସର ୬୦ତମ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେଇ ସିଜେଆଇ କହିଛନ୍ତି।

Share