୧୪ରୁ ସିକେ ନାଇଡୁ ଟ୍ରଫି କ୍ରିକେଟ

ସମ୍ବଲପୁର,୧୧ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ମଧ୍ୟରେ ୨୩ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସିକେ ନାଇଡୁ ଟ୍ରଫି କ୍ରିକେଟ ମ୍ୟାଚ ଆସନ୍ତା ୧୪ରୁ ୧୭ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସ୍ଥିତ ବୀର ସୁରେନ୍ଦ୍ର ସାଏ (ଭିଏସ୍‌ଏସ୍‌) ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ। ଏଥିସକାଶେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଘରୋଇ ଓଡ଼ିଶା ଦଳର ଖେଳାଳିମାନେ ବୁଧବାର ରାତ୍ରିରେ ସମ୍ବଲପୁରରେ ପହଞ୍ଚତ୍ଛନ୍ତି। ଗୁରୁବାର ସକାଳେ ଝାଡ଼ଖଣ୍ଡ ଦଳ ସମ୍ବଲପୁରରେ ପହଞ୍ଚତ୍ବା କାର୍ଯ୍ୟକ୍ରମ ରହିଛି। ବୁଧବାର ଧ୍ରୁବ ପାଣ୍ଡପ ପ୍ୟାଭିଲିୟନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମ୍ବଲପୁର ଜିଲା କ୍ରୀଡା ସଂଘ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି।
ମ୍ୟାଚରେ ଭଲ ସ୍କୋର ହେବା ସହ ଫଳାଫଳ ବାହାରିବା ଆଶା ରହିଛି। ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ଦଳରେ ସମ୍ବଲପୁରର ଆଶୁତୋଷ ଛୁରିଆ ଓ ଅଭିନବ ନନ୍ଦ ସାମିଲ ଅଛନ୍ତି। ଫଜିଲ ମହମ୍ମଦ ମ୍ୟାଚ ରେଫରି ଥିବାବେଳେ ତାମିଲନାଡୁର ରାକେଶ ରାଘବନ ଓ ରାୟପୁରର ବିକାଶ ଭଟ୍ଟ ଅମ୍ପାୟର ଦାୟିତ୍ୱ ତୁଲାଇବେ। ମ୍ୟାଚ ପରିଚାଳନା ସକାଶେ ଓଡ଼ିଶା କ୍ରିକେଟ ଆସୋସିଏଶନ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ନେଇ ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କ୍ରିକେଟ ସମ୍ପାଦକ ଅଭିନାଶ ନନ୍ଦ, ଆଥ୍‌ଲେଟିକ ସମ୍ପାଦକ ବିକାଶ କୁମାର ମିଶ୍ର, କାଉନ୍‌ସିଲ ସଭ୍ୟ ପଦ୍ମନାଭ ନାଏକ, ରତିକାନ୍ତ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ମହାକୁର, ଶାନ୍ତନୁ ନନ୍ଦ, ମହମ୍ମଦ ଇସାକ ସୂଚନା ଦେଇଥିଲେ।