ସି.କେ ନାଇଡ଼ୁ ଟ୍ରଫି: ହର୍ଷଳଙ୍କ ଜବରଦସ୍ତ ବ୍ୟାଟିଂ: ମହାରାଷ୍ଟ୍ର ୩୯୩ ରନରେ ଅଲ୍‌ଆଉଟ୍‌

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ଏବଂ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ୍‌ରେ ସି.କେ ନାଇଡ଼ୁ ଏଲିଟ୍‌ ଗ୍ରୁପ(କ) ମ୍ୟାଚ ଚାଲିଛି। ଓଡ଼ିଶା ଏବଂ ମହାରାଷ୍ଟ୍ର ମ୍ଯଯରେ ଚାଲିଥିବା ଏହି ୍ଯଯାଚର ଦ୍ୱିତୀୟ ଦିବସ ସୋମବାର ଖେଳରେ ମହାରାଷ୍ଟ୍ର ଦଳ ୩୯୩ ରନ ସଂଗ୍ରହ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଅନ୍ୟପଟେ ଓଡ଼ିଶା ଦଳ ଖେଳ ଆରମ୍ଭ କରି ଖେଳର ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୮୬ ରନ ସଂଗ୍ରହ କରିଛି।
ରବିବାରର ଅସମାପ୍ତ ସ୍କୋର୍‌ ୨୬୮/୫ରୁ ମହାରାଷ୍ଟ୍ର ଖେଳ ଆରମ୍ଭ କରି ସ୍କୋରରେ ଆଉ ୧୨୫ ରନ୍‌ ଯୋଡ଼ି ଅଲ୍‌ ଆଉଟ୍‌ ହୋଇଥିଲା। ରବିବାର ୧୦୧ରନ୍‌ ସଂଗ୍ରହ କରି ରିଟାୟର୍ଡ଼ ହର୍ଟ ହୋଇଥିବା ଦଳର ଖେଳାଳି ହର୍ଷଳ କାଟେ ୧୫୯ ରନ୍‌ର ଏକ ସୁନ୍ଦର ଇନିଂସ୍‌ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ ସିଦ୍ଧାନ୍ତ ଦୋଶୀ ୩୬, କୌଶଳ ତାମ୍ବେ ୪୧, ଅଭିଷେକ ପାୱାର ୨୨, ବିକି ଓସ୍ତୱାଲ ୨୭ ରନ୍‌ ସଂଗ୍ରହ କରିଥିଲେ। ଓଡ଼ିଶା ପକ୍ଷରୁ ଆୟୁଷ ବାରିକ ୭୬ ରନ ବିନିମୟରେ ୩ ଏବଂ ଆଶୁତୋଷ ମାରାଣ୍ଡି ୬୫ ରନ୍‌ ବିନିମୟରେ ୨ ଉଇକେଟ୍‌ ନେଇଥିଲେ।
ଏହାର ଜବାବ୍‌ରେ ଓଡ଼ିଶା ଦଳ ଖେଳ ଆରମ୍ଭ କରିଥିଲା। ସୋମବାର ଖେଳ ଶେଷ ସୁଦ୍ଧା ଦଳ ୩ ଉଇକେଟ୍‌ ହରାଇ ୮୬ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ବିଶ୍ୱଭୂଷଣ ମୁଦୁଲି ୩୬ ଏବଂ ଦେବବ୍ରତ ପ୍ରଧାନ ୧୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ସେହିପରି ଦଳର ସୁନିଲ କୁମାର ସିଂ ୨୭ ଏବଂ ସାୱନ ପାହାଡ଼ିଆ ୭ ରନ୍‌ କରି ଅପରାଜିତ ଅଛନ୍ତି। ମହାରାଷ୍ଟ୍ର ପକ୍ଷରୁ ହର୍ଷଳ କାଟେ ୧୫ ରନ୍‌ ବିନିମୟରେ ୨ ଏବଂ ବିକି ଓସ୍ତୱାଲ ୧୩ ରନ ବିନିମୟରେ ଗୋଟିଏ ଉଇକେଟ୍‌ ନେଇଛନ୍ତି।

ବିସିସିଆଇ ଅମ୍ପାୟାର ନୀତିନ ପଣ୍ଡିତ ଏବଂ କେ. ପ୍ରଭାକର ରାଓ ମ୍ୟାଚ ପରିଚାଳନା କରିଥିଲେ। ହେମନ୍ତ କୁମାର ମ୍ୟାଚ ରେଫେରୀ ଅଛନ୍ତି। ବିରବର ନାୟକ ଅନଲାଇନ ସ୍କୋରର, ସନ୍ଦୀପ ଜି ମାନୁଆଲ ସ୍କୋରର, ତାପସ କୁମାର ନାୟକ ଭିଡ଼ିଓ ଆନାଲିଷ୍ଟ୍‌, ଶୁଭାଶିଷ ଜେନା ଆସିଷ୍ଟାଣ୍ଟ ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱରେ ଅଛନ୍ତି।

Share