ସିଏସ୍‌ପି ପ୍ଲସ୍‌ରେ ଅଗ୍ରାଧିକାର ଭାବେ ନିଯୁକ୍ତି ଦାବି

କୋକସରା,୨୩ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ୧୦ବର୍ଷ ହେଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଖୋଲାଯାଇ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଉଛି। ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଏଜେଣ୍ଟମାନେ ସରକାରଙ୍କ ବିଭିନ୍ନ ଯୋଜନା ଯଥା କାଳିଆ, ମଧୁବାବୁ ପେନ୍‌ସନ୍‌, ପିଏମ୍‌ କିଷାନ, ବାର୍ଦ୍ଧକ୍ୟ ଭତ୍ତା, ମନରେଗା ଯୋଜନାରେ ଶ୍ରମିକଙ୍କୁ ଅର୍ଥ ପ୍ରଦାନ ଆଦି କାର୍ଯ୍ୟ କରି ଆସୁଛନ୍ତି। ତେବେ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଟାଏ ଲେଖାଏ ସିଏସ୍‌ପି ପ୍ଲସ୍‌ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ବ୍ୟାଙ୍କ ଦ୍ୱାରା ପରଚାଳିତ ଗ୍ରାହକ ସେବାକେନ୍ଦ୍ରର ବ୍ୟବସାୟ ପ୍ରଭାବିତ ହେବାକୁ ଯାଉଛି। ଏଠାରେ କାର୍ଯ୍ୟ କରୁଥିବା ଯୁବତୀ/ଯୁବକ କର୍ମ ସଂସ୍ଥାନ ହରାଇବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ସରକାରଙ୍କ ଦ୍ୱାରା ଖୋଲା ଯିବାକୁ ଥିବା ଏହି କେନ୍ଦ୍ରରେ ସିଏସ୍‌ପି କେନ୍ଦ୍ର ପରିଚାଳକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ଆଜି କୋକସରା ବ୍ଲକ ସିଏସ୍‌ପି ସଂଘ ପକ୍ଷରୁ ଶରତ କୁମାର ଦାସ ଦେବେଶ୍ୱର ଶବର, ମନ୍ମଥ ଦାସ, ମକୁନ୍ଦ ମାଝି, ସୋମେଶ୍ୱର ନାଏକ, ବିଭୂତି ଭୂଷଣ ମାଝି, ନାରାୟଣ ରାଉତ, କ୍ଷମା ସତନାମୀ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ବିଡିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ କୋକସରା ରାଜୀବ ଅଗ୍ରଓ୍ବାଲ, କୋକସରା ଏସ୍‌ବିଆଇ ଶାଖା ପରିଚାଳକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।