ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତ ଅଫିସ୍ର କର୍ମଚାରୀ ଜଣେ ଭାରତୀୟ ମହିଳାଙ୍କୁ ଭିଜା ପ୍ରଦାନ ବଦଳରେ ଯୌନ ଅନୁଗ୍ରହ ଦାବି କରିଥିଲେ। ସମ୍ପୃକ୍ତ ମହିଳା ଜଣକ ଗୁରୁବାର ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି।
୨୦୨୧ ମାର୍ଚ୍ଚର ଘଟଣା। ଜଣେ ଭାରତୀୟ ମହିଳା ପାକିସ୍ତାନ ଯିବା ପାଇଁ ଚାହୁଁଥିଲେ। ସେ ଭିଜା ଆବେଦନ କରିବା ପାଇଁ ପାକିସ୍ତାନୀ ଦୂତାବାସକୁ ଦୁଇଥର ଯାଇଥିଲେ। ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ଦର୍ଶାଇ ସେଠାକାର କର୍ମଚାରୀମାନେ ତାଙ୍କୁ ଭିଜା ଦେବାକୁ ମନା କରିଦେଇଥିଲେ। ଗତବର୍ଷ ଜୁନ୍ରେ ସେ ପୁଣି ଥରେ ହାଇକମିଶନ ଅଫିସକୁ ଯାଇ ନିରାଶ ହୋଇଥିଲେ। ସେଠାରୁ ଫେରିବାବେଳେ ଆସିଫ୍ ନାମକ ଜଣେ କର୍ମଚାରୀ ତାଙ୍କୁ ଡାକି କହିଥିଲେ, ଆପଣ ମୋତେ କହିଥିଲେ ଭିଜା ମଞ୍ଜୁର ହୋଇସାରନ୍ତାଣି। ଲାଉଞ୍ଜରେ କିଛି ସମୟ ଅପେକ୍ଷା କରନ୍ତୁ। ମହିଳା ଜଣକ ଅପେକ୍ଷା କରିଥିବାବେଳେ ଆସିଫ୍ ତାଙ୍କୁ ଅନ୍ୟ ଏକ ରୁମ୍କୁ ନେଇ ବସିବାକୁ କହିଥିଲେ। ଅପରାହ୍ନ ୨ଟାରେ ଜଣେ ଭିଜା ଅଫିସର ଆସିବେ ବୋଲି ମହିଳାଙ୍କୁ କୁହାଯାଇଥିଲା। ଆସିଫ୍ ତାଙ୍କୁ ଭିଜା ଆବେଦନ ସମ୍ପର୍କିତ ପ୍ରଶ୍ନ କରିଥିଲେ। ମହିଳା ତା’ର ଉତ୍ତର ଦେଇଥିଲେ। ଆସିଫ୍ ତାଙ୍କୁ ବିବାହିତା କି ବୋଲି ପଚାରିଥିଲେ। ମହିଳା କିଛି ନ କହିବାରୁ ସେ ପୁଣି ପଚାରିଥିଲେ, କାହିଁକି ଚୁପ୍ ରହିଲେ? ଆପଣ ନିଜ ଯୌନ ଅଭିଳାଷ ଚରିତାର୍ଥ କରିବା ପାଇଁ କ’ଣ କରନ୍ତି? ଆପଣଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଭଳି କେହି ଅଛନ୍ତି କି? କାହା ସହ ବିବାହ ବହିର୍ଭୂତ ସମ୍ପର୍କ ଅଛି କି? ମହିଳାଙ୍କ ହାତକୁ ଧରି ସେ ପୁଣି କହିଥିଲେ, ବିବାହିତା ହୋଇଥିଲେ ବି କିଛି ଅସୁବିଧା ନାହିଁ। ଆପଣ ବୋର୍ ହେଉଥିଲେ ୪ ଥର ବିବାହ କରିପାରିବେ।