ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ତେଜିଲା

ମୁନିଗୁଡ଼ା,୧୦ା୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲାର ବ୍ୟବସାୟୀ ନଗରୀ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିବାରେ ଲାଗିଛି। ଶୁକ୍ରବାର ଏହି ଦାବି ନେଇ ସ୍ଥାନୀୟ କନ୍ୟକା ପରମେଶ୍ବରୀ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯନ୍ତ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରାୟ ୪ବର୍ଷ ହେଲା ମୁନିଗୁଡା ବିକାଶ ପରିଷଦ ନେତୃତ୍ୱରେ ଅଞ୍ଚଳର ୨୨ଟି ଅନୁଷ୍ଠାନ ମୁନିଗୁଡାକୁ ଏନ୍‌ଏସି ଓ ଉପଖଣ୍ଡ ମାନ୍ୟତା ପାଇଁ ସଂଗ୍ରାମ କରି ଆସୁଛନ୍ତି। ଏହି କ୍ରମରେ ବିଗତ ବର୍ଷରେ ମୁନିଗୁଡ଼ାରୁ ଏକ ପ୍ରତିନିଧି ମଣ୍ଡଳୀ ସ୍ଥାନୀୟ ବିଧାୟକଙ୍କ ସହିତ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ, ବ୍ୟକ୍ତିଗତ ସଚିବ, ବିଭାଗୀୟ ମନ୍ତ୍ରୀ, ସଚିବଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ହେଲେ ଏ ଯାଏ ତାହା କାର୍ଯ୍ୟକାରୀ ହେଲାନାହିଁ। ତେଣୁ ବାଧ୍ୟ ହୋଇ ମୁନିଗୁଡା ବିକାଶ ପରିଷଦ ସହଯୋଗୀ ଅନୁଷ୍ଠାନଗୁଡିକ ସହିତ ମିଳିତ ବୈଠକ ପରେ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।