ଦୀର୍ଘବର୍ଷ ହେଲା ମରାମତି ହେଉନି ରାସ୍ତା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ଦାବି

କର୍ଲାମୁଣ୍ଡା,୨୧ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତାଟି ଦୀର୍ଘବର୍ଷରୁ ମରାମତି କିମ୍ବା ନିର୍ମାଣ ହୋଇ ନ ଥିବାରୁ ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ୨୦୧୫ରେ ତତ୍କାଳୀନ ଜିଲାପାଳଙ୍କ ସୁପାରିସ କ୍ରମେ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ କୁଶୁର୍ଲା ଛକରୁ ସିଲେଟପଡ଼ା ଓ ଶୀଶାଖାଲ ମଙ୍ଗଲାଜୋର ପର୍ଯ୍ୟନ୍ତ ନୂତନ ପିଚୁ ରାସ୍ତା ନିର୍ମାଣ ହୋଇଥିଲା। ତେବେ ରାସ୍ତାରେ ପିଚୁ ସମ୍ପୂର୍ଣ୍ଣ ଉଠିଯିବା ସହ ଖାଲଖମା ସୃଷ୍ଟି ହୋଇଥିବାରୁ ପ୍ରତ୍ୟହ ଯାତାୟାତ କରୁଥିବା ଜନସାଧାରଣ ଦୁର୍ଘଟଣାର ଶିକାର ହେଉଥିବା ସିଲେଟପଡ଼ାର ଚୈତନ୍ୟ ସାହୁ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅନେକ ଥର ଜିଲାପାଳଙ୍କ ଜନ ଶୁଣାଣି ଶିବିରରେ ଦରଖାସ୍ତ ଦେଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ କେସିଙ୍ଗା ଗ୍ରାମ ଉନ୍ନୟନ ସଂସ୍ଥା(ଆରଡ଼ି)ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ସୋସନ କୁଣ୍ଡୁଲୁଙ୍କୁ ପଚାରିବାରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ ନେଇ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ଚିଠି କରାଯାଇଛି ବୋଲି କହିଛନ୍ତି। ଏଣୁ ଏ ଦିଗରେ ଜିଲାପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।