ସ୍ପଷ୍ଟୀକରଣରେ ଅଟକିଗଲା ବର୍ଗୀକରଣ, ପଦୋନ୍ନତି

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ)ପ୍ରାଥମିକ ଶିକ୍ଷକଙ୍କ ବର୍ଗୀକରଣ ଓ ପଦୋନ୍ନତି ସମୟସୀମା ଚାଲିଯାଇଥିଲେ ମଧ୍ୟ ଜିଲା ଶିକ୍ଷା ବିଭାଗର ଅଙ୍କକଷା ଚାଲିଛି। ବାରମ୍ବାର ସ୍ପଷ୍ଟୀକରଣ ନାମରେ ଫାଇଲ ଅଟକିଯାଇଛି। ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ଜିଲା ଶିକ୍ଷା ବିଭାଗ ଅସମର୍ଥ ବୋଲି ଶିକ୍ଷୟିତ୍ରୀ ଶିକ୍ଷକମାନେ କୁହାକୁହି ହେଲେଣି। ଅତିରିକ୍ତ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁ ଶିକ୍ଷକ ପଦୋନ୍ନତି ଦାୟିତ୍ୱରେ ରହିଛନ୍ତି। ଦୀର୍ଘ ୩ ମାସ ହେବ ଏଡିଇଓ ସାହୁ ଦାୟିତ୍ୱରେ ରହି ମଧ୍ୟ ନିର୍ଭୁଲ୍‌ ତାଲିକା ପ୍ରସ୍ତୁତ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି।
ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କଠାରୁ ମେ ୬ ତାରିଖରେ ଚିଠି ସଂଖ୍ୟା ୧୦୬୮୬ ମାଧ୍ୟମରେ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ସ୍ପଷ୍ଟୀକରଣ ପତ୍ର ପ୍ରେରଣ କରାଯାଇଥିଲେ ମଧ୍ୟ ନବରଙ୍ଗପୁର ଜିଲାରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ବିଭିନ୍ନ ଜିଲାରେ ବର୍ଗୀକରଣ ଓ ପଦୋନ୍ନତି ପ୍ରକ୍ରିୟା ସାରିଲାଣି। ନବରଙ୍ଗପୁର ଜିଲାରେ କାହିଁକି ହୋଇପାରୁନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ କରି ଜିଲାସ୍ତରୀୟ ପଦୋନ୍ନତି କମିଟି ଉପସ୍ଥାପନ କରାଯାଇଥିଲା। କମିଟି ସଭ୍ୟ ତଥା ଜିଲା ମଙ୍ଗଳ ଅଧିକାରୀ ତାଲିକାକୁ ଫେରାଇଦେଲେ; ଯାହାକି ଏବେ ଶିକ୍ଷୟିତ୍ରୀଶିକ୍ଷକଙ୍କ ପାଇଁ ବିଡ଼ମ୍ବନାର ବିଷୟ ପାଲଟିଛି। ମେ ଶେଷ ସୁଦ୍ଧା ବର୍ଗୀକରଣ ଓ ପଦୋନ୍ନତି କରାଯିବାକୁ ସରକାରଙ୍କ ବିଧିବଦ୍ଧ ଚିଠି ଥିବା ସତ୍ତ୍ୱେ ତାହା ହୋଇ ପାରିଲାନାହିଁ। ବର୍ତ୍ତମାନ ଯଦି ଏହି ପ୍ରକ୍ରିୟା ଗଣଶିକ୍ଷା ବିଭାଗ ଦ୍ୱାରା ଅନୁମୋଦନ ହୋଇ କାର୍ଯ୍ୟକାରୀ ହୁଏ ତେବେ ଶିକ୍ଷୟିତ୍ରୀଶିକ୍ଷକଙ୍କ ବିଦ୍ୟାଳୟ ପରିବର୍ତ୍ତନ ହେବ। ଏହାପରେ ଖାଲି ପଦବୀ କିଭଳି ପୂରଣ ହେବ ତାହା ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି। ଶିକ୍ଷୟିତ୍ରୀ ଶିକ୍ଷକ ଓଟିଇଟି, ସିଟି, ବିଏଡ୍‌ ପାସ୍‌ କରିଥିବା ଓ ଜଏନ୍‌ ହୋଇଥିବା ସମସ୍ତ ତଥ୍ୟ ଜିଲା ଶିକ୍ଷା ବିଭାଗ ନିକଟରେ ରହିଛି। ତେବେ ପଦୋନ୍ନତି ପାଇଁ ବିଳମ୍ବ କରାଯିବା ପଛରେ ଅନ୍ୟ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ବୋଲି ଶିକ୍ଷୟିତ୍ରୀ ଶିକ୍ଷକ ପ୍ରଶ୍ନ କରିଛନ୍ତି। ଯଦି ବିଳମ୍ବରେ ବର୍ଗୀକରଣ ତଥା ପଦୋନ୍ନତି କରାଯାଏ ତେବେ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବୃଦ୍ଧି ପାଇଥିବା ପିଛିଲା ବକେୟା ଦରମା ପାଇଁ ପୁଣି ଜିଲା ଶିକ୍ଷା ବିଭାଗର ଆଉ ଏକ ଭିଡ଼ ଜମିବ। ଏଥିରେ ପୁଣି ହାତଗୁଞ୍ଜା ପାଇଁ ପ୍ରୟାସ ଆରମ୍ଭ ହେବ ବୋଲି ମଧ୍ୟ ଅଭିଯୋଗ ହେଉଛି। ଶିକ୍ଷୟିତ୍ରୀଶିକ୍ଷକମାନେ ଡିଇଓଙ୍କୁ ଭେଟି ସେମାନଙ୍କ ଅଧିକାରକୁ ନେଇ ଲିଖିତ ଭାବେ ଜଣାଇବେ। ୭ ଦିନ ମଧ୍ୟରେ ଯଦି କୌଣସି ସୁଫଳ ନ ମିଳେ ତେବେ ଜିଲାପାଳଙ୍କୁ ସାମୂହିକ ଭାବେ ଭେଟି ଅଭିଯୋଗ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ନେଇ ଡିଇଓ ପ୍ରଦୀପ ନାଗଙ୍କୁ ପଚାରିବାରୁ ପ୍ରକ୍ରିୟା ଚାଲିଛି। ଶିକ୍ଷୟିତ୍ରୀ ଶିକ୍ଷକ ଅତିଶୀଘ୍ର ପଦୋନ୍ନତି ପାଇବେ ବୋଲି ସେ କହିଛିନ୍ତି।