୨ ପରିବାର ମଧ୍ୟରେ ସଂଘର୍ଷ, ୬ ଆହତ

ତିହିଡ଼ି,୧୬।୭(ସଞ୍ଜିତ୍‌ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ପଞ୍ଚାୟତ ମୋଡ଼ସାହି ଗ୍ରାମରେ ରବିବାର ଜମିଜମାକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଉଭର ପକ୍ଷରୁ ୬ଜଣ ଆହତ ହୋଇଛନ୍ତି। ଉଭୟ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି।
ମିଳିସୂଚନା ଅନୁଯାୟୀ, ଗ୍ରାମର ଶ୍ୟାମସୁନ୍ଦର ପୃଷ୍ଟି ଓ ନୃସିଂହ ପୃଷ୍ଟିଙ୍କ ପରିବାର ମଧ୍ୟରେ ଜମି ବିବାଦକୁ ନେଇ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ରବିବାର ସକାଳେ ଏହି କାରଣରୁ ଉଭୟ ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ସଂଘର୍ଷର ରୂପ ନେଇଥିଲା। ଏହି ଗଣ୍ଡଗୋଳରେ ଶ୍ୟାମସୁନ୍ଦରଙ୍କ ସ୍ତ୍ରୀ ବାସନ୍ତୀଲତା, ପୁଅ ସଞ୍ଜୟ ଓ ବୋହୂ ଲକ୍ଷ୍ମୀପ୍ରିୟା,  ନୃସିଂହଙ୍କ ସ୍ତ୍ରୀ ସତ୍ୟଭାମାଙ୍କ ସମେତ ପରିବାରର କାଞ୍ଚନ ଓ ରଘୁନାଥ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।