ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆକ୍ରମଣରେ ଓ୍ବାର୍ଡ ସଭ୍ୟ ଗୁରୁତର

ହିଞ୍ଜିଳିକାଟୁ, ୨୬।୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତହଁର ଗ୍ରାମରେ ରାଜନୈତିକ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗୋଷ୍ଠୀର ତଥା ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ ପିଣ୍ଟୁ ଗୌଡ ଗୁରୁତର ଆହତ ହୋଇଛନ୍ତି। ପରିବାର ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେଠାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠାରୁ ହିଞ୍ଜିଳି ଥାନା ତଥା ଶେରଗଡ ବ୍ଳକ ତହଁର ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ତେବେ ଗାଁର ଗଣେଶ ପୂଜା ଭସାଣୀରେ ଗଣ୍ଡଗୋଳ ଆଶଙ୍କା କରି ସମ୍ପୃକ୍ତ ଗ୍ରାମର ୨ ଗୋଷ୍ଠୀ ହିଞ୍ଜିଳି ଥାନାର ଦ୍ବାରସ୍ଥ ହୋଇଥିଲେ । ଉଭୟ ଗୋଷ୍ଠୀଙ୍କୁ ପୃଥକ ପୃଥକ ଦିବସରେ ଭସାଣୀ ପାଇଁ ଥାନା ପକ୍ଷରୁ କୁହାଯାଇଥିଲା। ସୋମବାର ସାରେ ଗ୍ରାମର ଗୋଟିଏ ଗୋଷ୍ଠୀ ଭସାଣୀ ଉତ୍ସବରେ ଶୋଭାଯାତ୍ରା କରି ଯାଉଥିବା ବେଳେ ଅପର ଗୋଷ୍ଠୀ ରାସ୍ତା ଉପରେ ଭସାଣିର ପ୍ରସାଦ ସେବନ କରୁଥିଲେ । ରାସ୍ତା ଉପରୁ ଅବରୋଧ ହଟାଇବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିଥିଲା।
ପରେ ପାଟିତୁଣ୍ଡ ଓ ବାଡିଆପିଟା ସ୍ଥିତି ଉପୁଜିଥିଲା। କିଛି ବ୍ୟକ୍ତି ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ଏଥିରେ ଓ୍ବାର୍ଡ ସଭ୍ୟ ପିଣ୍ଟୁ ଗୁରୁତର ଆହତ ହୋଇଥିଲେ । ଘଟଣା ନେଇ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ହିଞ୍ଜିଳି ଥାନାରେ କେସ ନମ୍ବର ୭୦୩/୨୩ ଓ ୭୦୪/୨୩ ରେ ୨ଟି ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। କିଛି ବ୍ୟକ୍ତି ପୋଲିସ ଗିରଫ ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।