ପାକିସ୍ତାନ ବାହାରେ ପହଞ୍ଚିଲା ରାଜନୈତିକ କନ୍ଦଳ, ଲଣ୍ଡନ ସ୍ଥିତ ନୱାଜ ଶରିଫଙ୍କ ଘର ବାହାରେ ଇମ୍ରାନ-ନୱାଜଙ୍କ ସମର୍ଥକ ମୁହାଁମୁହିଁ

ଇସଲାମାବାଦ,୧୧ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଇସ୍ତଫା ପରେ ପାକିସ୍ତାନ ନ୍ୟାଶନାଲ ଆସେମ୍ଲିରେ ରାଜନୈତିକ କନ୍ଦଳ ଏକ ପ୍ରକାର ଶେଷ ହୋଇଯାଇଛି । ହେଲେ ଇମ୍ରାନ ଖାଁଙ୍କ ଦଳର ସମର୍ଥକ ଓ ନୱାଜ ଶରିଫଙ୍କ ପାର୍ଟିର ସମର୍ଥକଙ୍କ ମଧ୍ୟରେ ସଂସଦ ବାହାରେ ତୁତୁମେମେ ଜାରି ରହିଛି । ରବିବାର ଇମ୍ରାନ ଖାଁଙ୍କ ଦଳର ସମର୍ଥକ ଯେତେବେଳେ ଇସଲାମାବାଦରୁ କରାଚି ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରୁଥିଲେ ସେତେବେଳେ ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଘର ବାହାରେ ଦୁଇ ଦଳର ସମର୍ଥକ ପରସ୍ପର ମଧ୍ୟରେ ହାତାହାତି ହୋଇଯାଇଥିଲେ ।
ସୂଚନାଯୋଗ୍ୟ, ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରାଯିବା ପରେ ପାକିସ୍ତାନରେ ମୁସଲିମ ଲିଗ-ଏନର କର୍ମୀମାନେ ବହୁ ସ୍ଥାନରେ ଖୁସି ମନାଉତିବାର ଫଟୋ ସାମ୍ନାକୁ ଆସିଥିଲା । କେବଳ ସେତିକି ନୁହେଁ ପିଏମଏଲ-ଏନର ସମର୍ଥକ ଲଣ୍ଡନ ସ୍ଥିତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଘର ବାହାରେ ବି ଏକଜୁଟ ହୋଇ ଖୁସି ମନାଉଥିଲେ । ଏହି ସମୟରେ ଇମ୍ରାନଙ୍କ ପ୍ରଶଂସକ ତଥା ଦଳୀୟ କର୍ମୀ ହାତରେ ପୋଷ୍ଟର, ବ୍ୟାନର ଓ ଦଳୀୟ ପତାକା ଧରି ସେଠାରେ ପହଞ୍ଚି ଯାଇଥିଲେ । ଏମାନେ ସମସ୍ତେ ନୱାଜ ଶରିଫଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ । ଏହାରି ଭିତରେ ଦୁଇ ଦଳର ସମର୍ଥକଙ୍କ ମଧ୍ୟରେ ହାତାହାତି ଆରମ୍ଭ ହୋଇଯାଇଥିଲା । ଏହାକୁ ଆୟତ୍ତ କରିବାକୁ ପୋଲିସ ଚେଷ୍ଟା କରିଥିଲା ।

Share