ଗଣେଶ ବିସର୍ଜନ ବେଳେ ସଂଘର୍ଷ

ଗୋପାଳପୁର,୧୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳରେ ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ସଂଘର୍ଷ ଘଟି ୭ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ଗୁରୁବାର ଗୋଳନ୍ଥରା ପୋଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ମିଳିଥିବା ସୂଚନା ମୁତାବକ, ଗୋଳନ୍ଥରା ଥାନା ଅଧୀନ କେଉଟ କୋଇଠା ଗ୍ରାମରେ ବୁଧବାର ରାତିରେ ଗଣେଷ ବିସର୍ଜନ ପାଇଁ ଯାଉଥିବା ବେଳେ ସୋରଳ ବସ୍‌ ଷ୍ଟାଣ୍ଡ ନିକଟରେ ଅନ୍ୟ ଏକ ଗୋଷ୍ଠୀର ଯୁବକଙ୍କ ସହ ପ୍ରଥମେ କଥା କଟାକଟି ହୋଇଥିଲା। ଏହା କ୍ରମେ ଉଗ୍ର ରୂପ ନେଇଥିଲା l କିଛି ଯୁବକ ଧାରୁଆ ବ୍ଲେଡରେ ଆକ୍ରମଣ କରିଥିଲେ। ଫଳରେ ସୋରଳ ଗ୍ରାମର କେତେଜଣ ଯୁବକ ଗୁରୁତର ଆହତ ହୋଇଥିଲେ।

ଉକ୍ତ ଘଟଣାକୁ କେନ୍ଦ୍ର କରି ଗୁରୁବାର କେଉଟ କୋଇଠାର ଧର୍ମରାଜ ବେହେରା ନାମକ ଜଣେ ଶିକ୍ଷକ ସ୍କୁଟି (ନଂ.ଓଡି୦୭ଏଏସ୍‌-୦୯୩୭) ଯୋଗେ ସ୍କୁଲକୁ ଯାଉଥିବା ବେଳେ ବସ୍‌ଷ୍ଟାଣ୍ଡ ନିକଟରେ ୧୦ରୁ ୧୫ଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସ୍କୁଟି ଭାଙ୍ଗି ଦେଇଥିଲେ। ଏନେଇ ସୋରଳ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା l ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା l ଏ ନେଇ ଶିକ୍ଷକ ଧର୍ମରାଜଙ୍କ ଅଭିଯୋଗ ପରେ ଗୋଳନ୍ଥରା ଥାନା ପୋଲିସ ଏକ ମାମଲା(ନଂ.୩୬୬/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ସୋରଳ ଗ୍ରାମର ଭାବନୀ ଶଙ୍କର ବେହେରା, ରାମ ବେହେରା ଓ କାହ୍ନା ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେହିପରି ଗୋବିନ୍ଦନଗର ପଞ୍ଚାୟତର ଝିଙ୍କି ପଦର ଗାଁରେ ବୁଧବାର ରାତିରେ ମୂର୍ତ୍ତି ବିସର୍ଜନ ସମୟରେ କୌଣସି ଏକ କାରଣକୁ କେନ୍ଦ୍ର କରି ଶଙ୍କର ଦାସ, ବିଜୁ ଦାସ ଏବଂ ଅନ୍ୟ ଗାଁର ଦୁଇଜଣ ଯୁବକ ରେଳ ଫାଟକ ନିକଟରେ ବିୟର ବୋତଲ ସାହାଯ୍ୟରେ ଲୋକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ l ଏଥିରେ ଝିଙ୍କି ପଦର ଗାଁର ରୋହିତ ଦାସ, ଅର୍ଜୁନ ଦାସ, ଗୌରାଙ୍ଗ ଦାସ, ନୟନା ଦାସ, କାହ୍ନୁ ଦାସ ଏବଂ ସୁଭଦ୍ରା ଦାସ ପ୍ରମୁଖ ଆହତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l

ଏନେଇ ରୋହିତ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ(ନଂ.୩୬୪/୨୪)ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ତଦନ୍ତ ପରେ ଶଙ୍କର ଦାସ ଓ ବିଜୁ ଦାସକୁ ଗିରଫ କରି କୋର୍ଟ ଚାଲାଣ କରଛି।

ଗଣ୍ଡଗୋଳ ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ । ଏପରିକି ପରିସ୍ଥିତି ନିୟନ୍ତ୍ରଣରେ ରହିଛି, ସୋରଳ ଗାଁର ପୋଲିସ ଫୋର୍ସ ମୃତୟନ କରାଯାଇ ସ୍ଥିତି ଉପରେ ନଜର ରଖା ଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।