ସିମୁଳିଆ, ୧୫।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଣ୍ଡରାଇ ଅଞ୍ଚଳରେ ଜମିବାଡ଼ି ବିବାଦରୁ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ୨ଟି ପୃଥକ ମାମଲା(ନଂ.୧୫୬/୨୨ ଓ ୧୫୭/୨୨) ରୁଜୁ କରିଛି। ସୋମନାଥ ମହାରଣା(୭୦) ଓ ଗୋପୀନାଥ ମହାରଣା(୪୨)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଘଟଣାସ୍ଥଳରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ା ଅପରପକ୍ଷେ ଗୋଟିଏ ଗୋଷ୍ଠୀର ମହେନ୍ଦ୍ର ମହାରଣା (୫୨) ଓ ସୁରେନ୍ଦ୍ର ମହାରଣା (୫୦) ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲ ସ୍ଥାନାନ୍ତରିତ ହୋଇଥିବା ବେଳେ ଖଗେନ୍ଦ୍ର ମହାରଣା (୫୦) ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ା ସେହିପରି ଅପରପକ୍ଷେ ପ୍ରଫୁଲ୍ଲ ମହାରଣା(୩୩) ମଧ୍ୟ ଆହତ ହୋଇ ଭଦ୍ରକ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟ ଗୋଷ୍ଠୀ ପରସ୍ପର ୧୪ଜଣଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଉଭୟ ଗୋଷ୍ଠୀ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ା ଗତ ପ୍ରାୟ ୨ବର୍ଷ ପୂର୍ବେ ପ୍ରଫୁଲ୍ଲ ମହାରଣା ଅନ୍ୟମାନଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ପରିବାର ମଧ୍ୟରେ ଜମିଜମା ବିବାଦ ରହିଆସିଥିବା ବେଳେ ଉଭୟ ଦୁଇଗୋଷ୍ଠୀ ଦୁଇ ରାଜନୈତିକ ଦଳର ହୋଇଥିବାରୁ ଉଭୟଙ୍କୁ ଉଭୟ ଦଳର ଲୋକମାନେ ମତାଇ ଗଣ୍ଡଗୋଳକୁ ପ୍ରୋତ୍ସାହନ ଯୋଗାଉଥିବା ସୂଚନା ମିଳିଛି।