Categories: ଜାତୀୟ

ମଣିପୁରରେ ସାନି ସଂଘର୍ଷ: ୪ ମୃତ

ଇମ୍ଫାଲ, ୩ା୭ : ମଣିପୁରର ବିଷ୍ଣୁପୁର ଜିଲାରେ ଶନିବାର ବିଳମ୍ବିତ ରାତିରେ ସାନି ହିଂସାକାଣ୍ଡ ଘଟି ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଘଟଣାସ୍ଥଳକୁ ଯାଇଛନ୍ତି। ଅଜଣା ବନ୍ଧୁକଧାରୀଙ୍କ ସହ ଗୁଳି ବିନିମୟ ବେଳେ ୨ ଜଣ ଗ୍ରାମ ସ୍ବେଚ୍ଛାସେବୀ ନିହତ ହୋଇଛନ୍ତି। ଖୋଇଜୁମାଣ୍ଟାବି ଗ୍ରାମରେ ସ୍ବେଚ୍ଛାସେବୀମାନେ ଏକ ଅସ୍ଥାୟୀ ବଙ୍କରକୁ ଜଗିଥିବାବେଳେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଶନିବାର ମଧ୍ୟରାତ୍ରରୁ ବିଷ୍ଣୁପୁର ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ଖବର ଅନୁଯାୟୀ ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲା ସୀମାବର୍ତ୍ତୀ ଅଞ୍ଚଳରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଅନେକ ଘର ଜାଳିଦେବା ସହ କେତେଜଣଙ୍କୁ ଅପହରଣ କରିନେଇଥିଲେ। ସଶସ୍ତ୍ର ଉଗ୍ରପନ୍ଥୀମାନେ ସଂଘର୍ଷ ବେଳେ ଜଣକ ମୁଣ୍ଡ କାଟିଦେଇଥିଲେ।
ଦୀର୍ଘ ୨ ମାସ ଧରି ମଣିପୁରର କଙ୍ଗପୋକ୍‌ପି ଜିଲାରେ ବନ୍ଦ ଥିବା ଜାତୀୟ ରାଜପଥକୁ ଅବରୋଧମୁକ୍ତ କରିବା ପାଇଁ କୁକି ବିଦ୍ରୋହୀ ଗୋଷ୍ଠୀ ରବିବାର ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହେବାକୁ ଯାଉଛି। ମେ’ ୩ରୁ ନାଗାଲାଣ୍ଡର ଦିମାପୁରକୁ ଇମ୍ଫାଲ ସହ ସଂଯୋଗ କରୁଥିବା ଜାତୀୟ ରାଜପଥ୦୨କୁ ଅବରୋଧ କରି ରଖାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅନୁରୋଧକ୍ରମେ ଏହାକୁ କିଛିଦିନ ପାଇଁ ଖୋଲାଯାଇଥିବାବେଳେ ଗତ ମାସ ୯ରେ କୁକି ସମ୍ପ୍ରଦାୟର ୩ ଜଣଙ୍କୁ ହତ୍ୟା ପରେ ପୁଣିଥରେ ଉକ୍ତ ରାଜପଥକୁ ଅବରୋଧ କରାଯାଇଥିଲା।
ମଣିପୁର ଜାତିଗତ ଦଙ୍ଗା ଘଟଣାରେ ଅନ୍ତର୍ଜାତୀୟ ଶକ୍ତିର ହାତ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ହିଂସାକାଣ୍ଡ ଯୋଜନାବଦ୍ଧ ଓ ଏହା ପଛର କାରଣ ସ୍ପଷ୍ଟ ହୋଇନାହିଁ। ମଣିପୁର ସୀମାକୁ ଲାଗି ମ୍ୟାନ୍‌ମାର ରହିଛି। ଚାଇନା ମଧ୍ୟ ଏହା ନିକଟରେ। ଏହି ୩୯୮ କିଲୋମିଟର ସୀମାରେ ପ୍ରହରା ଦିଆଯାଉ ନାହିଁ। କେବଳ ଫ୍ରଣ୍ଟିୟରରେ ଆମର ସୁରକ୍ଷା ବଳ ମୁତୟନ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share