Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି, ୨୫ ଆହତ

ଇମ୍ଫାଲ,୭।୯: ମଣିପୁରର ବିଷ୍ଣୁପୁର ଜିଲା ଫୌଗାକଚୋ ଅଞ୍ଚଳରେ ବୁଧବାର ବିକ୍ଷୋଭକାରୀମାନେ ସୁରକ୍ଷା ବ୍ୟାରିକେଡ୍‌ ହଟାଇବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ସୁରକ୍ଷା କର୍ମୀ ଓ ବିକ୍ଷୋଭକାରୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସୁରକ୍ଷାକର୍ମୀଙ୍କ ଲୁହବୁହା ଗ୍ୟାସ ପ୍ରୟୋଗ ଫଳରେ ୨୫ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଅଧିକ ସଂଖ୍ୟକ ମହିଳା ଅଛନ୍ତି। ଆହତଙ୍କୁ ବିଷ୍ଣୁପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ ବୁଧବାର ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ସହ ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ବ୍ୟାରିକେଡ୍‌ ହଟାଇବାକୁ ଉଦ୍ୟମ କରିଥିଲେ।

ଅପୁନ୍ବ ମଣିପୁର କାନବା ଇମାଲୁପ୍‌(ଏଏମ୍‌କେଆଇଏଲ୍‌) ସଭାପତି ଲୌରେମ୍ବାମ ନଗାନବୀ କହିଛନ୍ତି, ମେ ୩ ହିଂସାକାଣ୍ଡ ପରେ ମେତେଇ ସମ୍ପ୍ରଦାୟର ଶତାଧିକ ଲୋକ ସେମାନଙ୍କ ଘର ଛାଡ଼ି ପଳାଇଥିଲେ। ତେବେ ସୁରକ୍ଷକର୍ମୀଙ୍କ ବ୍ୟାରିକେଡ ଯୋଗୁ ସେମାନେ ଘରକୁ ଫେରିପାରୁ ନ ଥିଲେ। ପୂର୍ବରୁ ଅଗଷ୍ଟ ୩୦ରେ ବ୍ୟାରିକେଡ ହଟାଇବା ଲାଗି ସରକାରଙ୍କୁ ନିବେଦନ କରାଯାଇଥିଲା। ତେବେ ସରକାର ଶୁଣି ନ ଥିଲେ। ତେଣୁ ଏହି ବ୍ୟାରିକେଡ୍‌କୁ ମାତ୍ର କିଛି ଦୂର ଘୁଞ୍ଚାଇବା ଲାଗି ଆମେ ଦାବି କରିଥିଲୁ। କିନ୍ତୁ ସୁରକ୍ଷାକର୍ମୀ ତାହା କରି ନ ଥିଲେ। ରାଜ୍ୟର ବିଷ୍ଣୁପୁର, କାକଚିଂ, ଥୌବାଲ, ପଶ୍ଚିମ ଇମ୍ଫାଲ ଏବଂ ପୂର୍ବ ଇମ୍ଫାଲ ଜିଲାରେ କର୍ଫ୍ୟୁ ଜାରି କରାଯାଇଛି। ତେବେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତୁ କର୍ଫ୍ୟୁ କୋହଳ କରାଯାଇଛି।

 

Share