ଷଷ୍ଠ ଶ୍ରେଣୀ ଛାତ୍ରୀ ୬ ମାସର ଗର୍ଭବତୀ, ରାୟଗଡ଼ା ଶିଶୁ ମଙ୍ଗଳ କମିଟିର ତନାଘନା

ରାୟଗଡା,୧୯।୪(ଆଶିଷ ରଞ୍ଜନ ପଣ୍ଡା) – ରାୟଗଡ଼ା ଜିଲାରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ଜଣେ ୧୪ ବର୍ଷ ତଥା ଷଷ୍ଠ ଶ୍ରେଣୀର ଛାତ୍ରୀ ୬ ମାସର ଗର୍ଭବତୀ ହୋଇଛନ୍ତି। ଏହା ଜଣାପଡିବା ପରେ ଶନିବାର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସହଯୋଗରେ ରାୟଗଡା ଶିଶୁ ମଙ୍ଗଳ କମିଟି ନିକଟରେ ନାବାଳିକାଙ୍କୁ ହାଜର କରାଯାଇଛି। କମିଟି ତଦନ୍ତ ଓ ତନାଘନା ଆରମ୍ଭ କରିଛି। କମିଟି ସଦସ୍ୟାମାନେ ଦୀର୍ଘ ସମୟ ଧରି ଉକ୍ତ ନାବାଳିକାଙ୍କୁ ସମସ୍ତ ବିଷୟରେ ପଚରାଉଚରା କରିଛନ୍ତି। ଏହି ଘଟଣା କଲ୍ୟାଣସିଂହପୁର ବ୍ଲକରେ ଘଟିଥିବା ଜଣାପଡିଛି।

ରାୟଗଡା ସଦର ବ୍ଲକ ଜୋଡି ଗ୍ରାମର ଜଣେ ୧୭ ବର୍ଷର ନାବାଳକ କଲ୍ୟାଣସିଂହପୁରରେ ସ୍ଥିତ ଦେବଗିରୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ଉକ୍ତ ନାବାଳିକା ସହ ନାବାଳକର ପ୍ରେମ ସଂପର୍କ ରହିବା ପରେ ଶାରିରୀକ ସଂପର୍କ ଗଢି ଉଠିଥିଲା। ଫଳରେ ସେ ଗର୍ଭବତୀ ହୋଇଥିଲେ। ଏହାପରେ ନାବାଳିକାର ପରିବାର ଲୋକେ ଝିଅକୁ ନାବାଳକ ଘର ଜୋଡିରେ ଛାଡି ଦେଇଥିଲେ। ଏହି ଘଟଣା ଗତକାଲି ଜଣାପଡିବା ପରେ ରାୟଗଡା ମହିଳା ଓ ଶିଶୁ କଲ୍ୟାଣ ବିଭାଗ କର୍ମଚାରୀ ନାବାଳିକାକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି ନିକଟରେ ଆଜି ହାଜର କରିଛି। ଅପରପକ୍ଷେ ଘଟଣାର ତଦନ୍ତ ଚାଲିଛି ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବିଦୁଲତା ହୁଇକା ସୂଚନା ଦେଇଛନ୍ତି।

Share