ବାପା ସାଇକେଲ କିଣି ନ ଦେବାରୁ ଅଦ୍ଭୁତ ସାଇକେଲ ତିଆରି କଲେ ଅଷ୍ଟମ ଶ୍ରେଣୀର ଛାତ୍ର

ଲଧିଆନା,୨୫।୮: ଆବଶ୍ୟକତା ହିଁ ଆବିଷ୍କାରର ଜନନୀ। କରୋନା ଭାଇରସ୍‌ ଲକ୍‌ଡାଉନ ଓ ଆର୍ଥିକ ଅନାଟନ ଯୋଗୁ ଜଣେ ପିତା ନିଜ ପୁଅ ପାଇଁ ନୂଆ ସାଇକେଲ କିଣି ପାରି ନ ଥିଲେ। କିନ୍ତୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି, ଯାହାକୁ କେହି ଭାବି ବି ନ ଥିବେ। ତାଙ୍କର ଏହି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପଞ୍ଜାବର ଲୁଧିଆନାର ଲଖୋଓ୍ବାଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ଛାତ୍ର ହରମନଜୋତଙ୍କୁ ନୂଆ ସାଇକେଲର ଆବଶ୍ୟକ ଥିଲା। ଏନେଇ ସେ ବାପାଙ୍କୁ କହିଥିଲେ। କିନ୍ତୁ ଦେଶରେ ମହାମାରୀ କରୋନା ବ୍ୟାପିବା ଓ ଆର୍ଥିକ ଅନାଟନ ଯୋଗୁ ତାଙ୍କ ବାପା ନୂଆ ସାଇକେଲ କିଣିବାରେ ସକ୍ଷମ ହୋଇ ନ ଥିଲେ। ଫଳରେ ହରମନଜୋତ ଏକ ଉପାୟ ପାଞ୍ଚିଥିଲେ ଏବଂ ପିତାଙ୍କ ସହାୟତାରେ ଘରେ ଏକ ଅଦ୍ଭୁତ ନୂଆ ସାଇକେଲ ତିଆରି କରିଥିଲେ। ଯାହା ଆଗରୁ ସ୍କୁଟର ଭଳି ଦେଖାଯାଉଥିବା ବେଳେ ପଛରୁ ସାଇକେଲ ଭଳି ଦେଖାଯାଉଛି। ଏହାକୁ ପେଡାଲ ମାରି ଚଳାଇ ହେବ। ତେବେ ଏହି ନିଆରା ସାଇକେଲ ଏବେ ଚର୍ଚ୍ଚାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିସହ ହରମନଜୋତଙ୍କ କାର୍ଯ୍ୟକୁ ସବୁ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

Share