ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରୀଙ୍କ ଜୀବନ

ରାୟଗଡ଼,୮।୧୦ା(ଜ୍ୟୋତି ପ୍ରସାଦ ପାଣି): ଗଜପତି ଜିଲା ରାୟଗଡ଼ ବ୍ଲକ ଅଧୀନ ଗଣ୍ଡାହାତୀ ପଞ୍ଚାୟତ ଅନ୍ତର୍ଗତ ତାମତରା ଗ୍ରାମର ଏକ ପୋଖରୀରେ ବୁଡ଼ି ଜଣେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗ୍ରାମର ସୁଙ୍କୁ ମଣ୍ଡଳଙ୍କ ଝିଅ ସୁଜାତା ମଣ୍ଡଳ(୯)।

ମିଳିଥିବା ସୂଚନା ମୁତାବକ, ସୁଜାତା ଗ୍ରାମ ନିକଟରେ ଥିବା ଗଡ଼ାସିଂ ପୋଖରୀରକୁ ଶୌଚ ପାଇଁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ପୋଖରୀ ତୁଠରେ ସୁଜାତାଙ୍କ ଚପଲ ପଡିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଗ୍ରମାବାସୀ ପହଞ୍ଚି ପୋଖରୀରେ ଖୋଜାଖୋଜି ପରେ ସୁଜାତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ପାରଳାଖେମୁଣ୍ଡି ଜିଲା ମଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗାରାବନ୍ଧ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୪/୨୩) ରୁଜୁ ହୋଇଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ନାରାୟଣ ଦାସ କହିଛନ୍ତି।

ସୂଚନା ଯୋଗ୍ୟ, ସୁଜାତା ଗୋସାଣି ବ୍ଲକର ଘୋରଣୀ ପଞ୍ଚାୟତର ଧ୍ୱନି ଗାଁ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ। ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଟିଡ଼ିସିସି ଡାଇରେକ୍ଟର ଅନ୍ତର୍ଯ୍ୟମୀ ଗମାଙ୍ଗ ଓ ବରିଷ୍ଠ ବିଜେଡ଼ି ନେତା ଟି. ବିଶ୍ୱନାଥ ପାରଳାଖେମୁଣ୍ଡି ମେଡ଼ିକାଲରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।