Categories: ଜାତୀୟ

ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର

ଆଗ୍ରା,୧୮।୪: ସ୍ମାର୍ଟ ଫୋନ କିଣି ନ ଦେବାରୁ ଜେଜେମାଙ୍କୁ ହତ୍ୟା କରିଛି ଜଣେ ୧୮ ବର୍ଷୀୟ ନାତି। ଅଭିଯୁକ୍ତ ଜଣେ ଦଶମ ଶ୍ରେଣୀର ଛାତ୍ର। ଅଭିଯୋଗ ଅନୁଯାୟୀ, ଅଲିଗଡ଼ ପେଣ୍ଡ୍ରା ଗ୍ରାମରେ ୬୦ ବର୍ଷୀୟା ଜେଜେମାଙ୍କୁ ବେକ ଚିପି ହତ୍ୟା କରାଯାଇଛି।

ନୂଆ ଆଣ୍ଡରଏଡ୍‌ ଫୋନ କିଣିବା ପାଇଁ ଜେଜେମା ଟଙ୍କା ଦେବାକୁ ମନା କରି ଦେଇଥିଲେ। ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଦୁଇ ଜଣ ସାଙ୍ଗଙ୍କ ସହ ମିଶି ଜେଜେମାଙ୍କୁ ହତ୍ୟା କରିଛନ୍ତି। ଘଟଣାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଲା, ସେ ଚଳିତ ମାସ ୨ ତାରିଖରେ ଜେଜେମାଙ୍କୁ ହତ୍ୟା କରିଥିଲେ। କିନ୍ତୁ ଏହି ଅପରାଧ ଏବେ ସାମ୍ନାକୁ ଆସିଛି।

ହୃଦ୍‌ଘାତ କାରଣରୁ ମୁନି ଦେବୀଙ୍କ ମୃତ୍ୟୁ ହୋଇଥିବା ସଭିଙ୍କୁ କହିଥିଲେ ଅଭିଯୁକ୍ତ ସଚିନ। ଅଭିଯୁକ୍ତର ମାମୁ ମା’ଙ୍କ ମୃତ୍ୟୁ ନେଇ ସନ୍ଦେହ ପ୍ରକାଶ କରିବା ପରେ ପହଞ୍ଚିଥିଲେ ପୋଲିସ ନିକଟରେ। ତଦନ୍ତରୁ ସଚିନ ଓ ତାଙ୍କର ଦୁଇ ସାଙ୍ଗ ଜ୍ୟାକି ଏବଂ ହନି ମିଳିତ ଭାବେ ମୁନି ଦେବୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ପଚରାଉଚୁରା ବେଳେ ସେମାନେ ପୋଲିସ ଆଗରେ ସବୁ ସ୍ବୀକାର କରିଥିଲେ।

Share