ଭଙ୍ଗା ଘରେ ଚାଲିଛି ପାଠପଢ଼ା

ବାହାନଗା,୪ା୭(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାହାସପୁରା ପଞ୍ଚାୟତରେ ଥିବା ନେତାଜୀ ହାଇସ୍କୁଲର ଛାତ୍ରୀଛାତ୍ର ବିପଦସଙ୍କୁଳ ଭଙ୍ଗାଘରେ ଓ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ୧୯୯୪ରେ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଏବେ ନାନା ଅବ୍ୟବସ୍ଥା ଦେଖାଦେଇଛି।
ଏହି ବିଦ୍ୟାଳୟରେ ପଢ଼ୁଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ପାଇଁ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି କରାଯାଇଛି। ଏହି ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟରେ ମୋଟ ୯ଜଣ ଶିକ୍ଷକ ଓ ୪ କର୍ମଚାରୀ ଅଛନ୍ତି। ୨୦୦୮-୦୯ରେ ଏହା ବ୍ଲକଗ୍ରାଣ୍ଟ ମାନ୍ୟତା ପାଇବା ସହ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ଥିଲା। ୨୦୧୮-୧୯ରେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସର୍ବଶିକ୍ଷା ଅଭିଯାନରେ ସାମିଲ କରାଯାଇଥିଲା। ଏବେ ଏହି ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ମୋଟ ୯୫ ଛାତ୍ରୀଛାଚ୍ର ଅଧ୍ୟୟନ କରୁଛନ୍ତି। ସେମାନେ ଭଙ୍ଗା ଘରେ ପାଠ ପଢ଼ିବା ସହ ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ବସୁଛନ୍ତି। ବିଦ୍ୟାଳୟର ଗୋଟିଏ ଅଫିସ ଗୃହ, ଶିକ୍ଷକଙ୍କ ପାଇଁ କମନରୁମ୍‌ ସହ ଦୁଇଟି ଶ୍ରେଣୀ ପ୍ରକୋଷ୍ଠ ରହିଛି। ଯାହର କାନ୍ଥ, ଛପର ଭଙ୍ଗା ଅବସ୍ଥାରେ ଅଛି। ଯେ କୌଣସି ମୁହୂର୍ତ୍ତରେ ଏହା ଭାଙ୍ଗି ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ। ବିଦ୍ୟାଳୟଟି ୨୦୨୧ରେ ଏଡେଡ୍‌ ବିଦ୍ୟାଳୟରେ ପରିଣତ ହୋଇଥିବା ବେଳେ ଅଦ୍ୟାବଧି କୌଣସି ସରକାରୀ ଅନୁଦାନ ମିଳିନାହିଁ। ୨୦୧୬-୧୭ରେ ବିଧାୟକ ପର୍ଶୁରାମ ଧଡ଼ା ୫ଲକ୍ଷ ଟଙ୍କା ଘର ପାଇଁ ଅନୁଦାନ ଦେଇଥିବା ବେଳେ ୫ବର୍ଷ ହେବ ତାହା ସମ୍ପୂର୍ଣ୍ଣ ହୋଇ ନ ଥିବା ଦେଖାଯାଇଛି। ଯାହାକି କମ୍ପ୍ୟୁଟର ଗୃହ ଭାବେ ବ୍ୟବହାର କରାଯିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏଠାରେ ଶୌଚାଳୟ ଓ ପାଣି ପ୍ରକଳ୍ପ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ହଇରାଣ ହେବାକୁ ପଡୁଛି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମିହିର ପ୍ରଧାନଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି। ସେହିପରି ଜିଲା ଶିକ୍ଷାଧିକାରୀ ବିଷ୍ଣୁମୋହନ ସୂତାରଙ୍କୁ ପଚାରିବାରୁ ଏଡେଡ୍‌ ବିଦ୍ୟାଳୟ ହୋଇଥିବାରୁ ଆମ ପାଖରେ କିଛି ନାହିଁ। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏହାର ସମାଧାନ କରାଯାଇ ପାରିବ ବୋଲି କହିଛନ୍ତି।