ରାୟପୁର,୩୧ା୧୦: ଛତିଶଗଡ଼ର କୋଣ୍ଡାଗାଁରେ ରହୁଥିବା ଅଶୋକ ଚକ୍ରଧାରୀ ଏକ ମାଟିର ଦୀପ ତିଆରି କରିଛନ୍ତି। ଯାହା ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ। ଏହି ଦୀପକୁ ନେବା ପାଇଁ ଲୋକେ ଫୋନ୍ ପରେ ଫୋନ୍ କରୁଛନ୍ତି। ଅଶୋକଙ୍କୁ ଏଥିପାଇଁ ଜାତୀୟ ମେରିଟ୍ ଆଓ୍ବାର୍ଡ ମଧ୍ୟ ପ୍ରଦାନ କରାଯାଇଛି।
ଅଶୋକ ବୃତ୍ତିରେ ଜଣେ ମାଟି କାରିଗର। ସେ ଦୀର୍ଘବର୍ଷ ଧରି ଏହି କାମ କରିଆସୁଛନ୍ତି। ଏବେ ସେ ଏହି ମାଟି ଦୀପଟି ତିଆରି କରିଛନ୍ତି, ଯାହା ୨୪ରୁ ୪୦ଘଣ୍ଟା ଧରି ଜଳୁଛି। ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି। ସେ କହିଛନ୍ତି ଯେ, ୩୫ ବର୍ଷ ପୂର୍ବେ ସେ ଏପରି ଏକ ଦୀପ ଦେଖିଥିଲେ। ଏହାକୁ ଧ୍ୟାନରେ ରଖି ସେ ଏହି ଦୀପ ତିଆରି କରିଛନ୍ତି। ଏହି ଦୀପର ଦାମ୍ ୨୦୦ରୁ ୨୫୦ ଟଙ୍କା ରହିଛି। ଅଶୋକ କୁହନ୍ତି, ଦୀପର ଫଟୋ ସୋସିଆଲ ମିଡିଆରେ କେମିତି ଭାଇରାଲ ହେଲା ତାହା ସେ ଜାଣିନାହାନ୍ତି। ମାତ୍ର ଏହା ପରଠାରୁ ଏହି ଦୀପ ନେବା ପାଇଁ ଅନେକ ଲୋକ ତାଙ୍କୁ ଫୋନ୍ କରି ଅର୍ଡର ଦେଉଛନ୍ତି।