Categories: ଖେଳ

ଭାରତୀୟ କମ୍ପାଉଣ୍ଡ ତୀରନ୍ଦାଜଙ୍କ କ୍ଲିନ୍‌ ସୁଇପ୍‌

ତାଶକେଣ୍ଟ, ୬ା୫(ପି.ଟି.): ଏଠାରେ ଚାଲିଥିବା ଏସିଆ କପ୍‌ ଷ୍ଟେଜ୍‌-୨ ବିଶ୍ୱ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରି ଭାରତର କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ କରିଛନ୍ତି। ୭ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ଭାରତ ପଦକ ତାଲିକା ଶୀର୍ଷରେ ରହିଛି। କମ୍ପାଉଣ୍ଡ ତୀରନ୍ଦାଜମାନେ ଉଭୟ ପୁରୁଷ ଓ ମହିଳା ବିଭାଗରେ କ୍ଲିନ ସୁଇପ ହାସଲ କରି ମୋଟ ୫ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ପାଇଛନ୍ତି। ଭାରତ ସମସ୍ତ ୧୦ ସ୍ବର୍ଣ୍ଣ ହାସଲ ଲକ୍ଷ୍ୟରେ ଥିବାବେଳେ ରିକର୍ଭ ତୀରନ୍ଦାଜମାନେ ଚାଇନା ବିପକ୍ଷ ତିନୋଟି ଫାଇନାଲରେ ପରାଜିତ ହୋଇଥିଲେ। ଏହା ସତ୍ତ୍ୱେ ଭାରତ ପଦକ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିପାରିଛି। ସୂଚନାଯୋଗ୍ୟ, ହେଭିଓ୍ବେଟ୍‌ ଚାଇନା ଏଥର ପ୍ରତିଯୋଗିତାରେ ଭାଗ ନେଇ ନାହିଁ। ଓଭର ଅଲ୍‌ ରିକର୍ଭ ତୀରନ୍ଦାଜମାନେ ଦୁଇ ସ୍ବର୍ଣ୍ଣ ଓ ୩ ରୌପ୍ୟ ଜିତିଥିଲେ। ଭାରତ ଫାଇନାଲ ଷ୍ଟାଣ୍ଡିଂରେ ମୋଟ ୧୪ପଦକ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲା। ପୁରୁଷ ରିକର୍ଭ ବ୍ୟକ୍ତିଗତ ବିଭାଗ କ୍ୱାଲିଫିକେଶନ ଶୀର୍ଷରେ ରହିଥିବା ମୃଣାଳ ଚୌହାନ ଚାଇନାର ଓ୍ବାଙ୍ଗ୍‌ ବାଓବିନ୍‌ଙ୍କଠାରୁ ୨-୬ (୨୯-୩୦, ୨୯-୨୯, ୨୭-୨୮, ୨୬-୨୬)ରେ ପରାଜିତ ହୋଇଥିଲେ। ସଙ୍ଗୀତା ତାଙ୍କଠାରୁ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଚାଇନିଜ ପ୍ରତିଦ୍ୱନ୍ଦ୍ୱୀ ଉ ଜିଆଜିନ୍‌ଙ୍କଠାରୁ ୩-୭ (୨୭-୨୬, ୨୭-୨୭, ୨୬-୨୭, ୨୪-୨୭, ୨୬-୩୦)ରେ ପରାସ୍ତ ହୋଇଥିଲେ। ସିଙ୍ଗୀତା, ମଧୁ ବିଦ୍ୱାନ ଓ ତନିଶା ବର୍ମାଙ୍କୁ ନେଇ ମହିଳା ରିକର୍ଭ ଦଳ ପ୍ରତିପକ୍ଷ ଚାଇନା ଦଳଠାରୁ ୦-୬ (୫୨-୫୬, ୪୭-୫୨, ୫୧-୫୨)ରେ ହାରିଯାଇଥିଲା। ଶେଷରେ ରିକର୍ଭ ପୁରୁଷ ଦଳ ଏବଂ ମିକ୍ସଡ ଯୋଡ଼ି ଦୁଇ ସ୍ବର୍ଣ୍ଣ ଜିତିବାରେ ସମର୍ଥ ହୋଇଥିଲେ। ପୁରୁଷ ଟିମ୍‌ ଫାଇନାଲରେ ମୃଣାଳ ଚୌହାନ, ତୁଷାର ସିଲ୍‌କେ ଓ ଜୟନ୍ତ ତାଲୁକ୍‌ଦାର ଚାଇନାକୁ ୫-୧ (୫୭-୫୪, ୫୪-୫୪, ୫୪-୫୧)ରେ ହରାଇ ଦେଇଥିଲେ। ମିକ୍ସଡ ଟିମ୍‌ ଯୋଡ଼ି ଚୌହାନ ଓ ସଙ୍ଗୀତା ଚାଇନା ବିପକ୍ଷରେ ୫-୪ (୩୬-୩୭, ୩୯-୩୯, ୩୭-୩୬, ୩୭-୩୭, ୨୦-୧୮)ରେ ବିଜୟ ହାସଲ କରିଥିଲେ।
ସକାଳ ସେସନରେ କମ୍ପାଉଣ୍ଡ ତୀରନ୍ଦାଜମାନେ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ପରନିତ କୌର, ରାଗିନି ମାର୍କୁ ଓ ପ୍ରଗତି ୨୩୨-୨୨୩ରେ କାଜାଖସ୍ତାନକୁ ପରାସ୍ତ କରି ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣି ଦେଇଥିଲେ। କମ୍ପାଉଣ୍ଡ ପୁରୁଷ ଟିମ୍‌ ଇଭେଣ୍ଟ ଫାଇନାଲରେ ଅଭିଷେକ ବର୍ମା, କୁଶାଲ ଦଲାଲ ଓ ଅମିତ ହଂକଂକୁ ୨୩୩-୨୨୬ରେ ହରାଇଦେଇଥିଲେ। ବର୍ମା ଓ ପରନିତ କୌରଙ୍କୁ ନେଇ କମ୍ପାଉଣ୍ଡ ମିକ୍ସଡ ଟିମ୍‌ ୧୫୭-୧୪୫ରେ କାଜାଖସ୍ତାନକୁ ପରାଜିତ କରି ଭାରତ ପାଇଁ ୩ୟ ସ୍ବର୍ଣ୍ଣ ଆଣିଦେଇଥିଲେ। ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବିଭାଗରେ ଏକ ଅଲ୍‌-ଇଣ୍ଡିଆନ ଫାଇନାଲରେ ରାଗିନି ଶୁଟ୍‌ ଆଉଟରେ ୧୪୪-୧୪୪ (୧୦*-୧୦) ସ୍ବଳ୍ପ ବ୍ୟବଧାନରେ ପ୍ରଗତିଙ୍କୁ ହରାଇ ଦେଇଥିଲେ। ପରନିତଙ୍କ ବ୍ୟକ୍ତିଗତ ବ୍ରୋଞ୍ଜ ଦ୍ୱାରା ଭାରତ ମହିଳା କମ୍ପାଉଣ୍ଡ ବିଭାଗରେ କ୍ଲିନ ସୁଇପ କରିଥିଲା। କମ୍ପାଉଣ୍ଡ ପୁରୁଷ ଫାଇନାଲ ମଧ୍ୟ ଦୁଇ ଭାରତୀୟଙ୍କ ମଧ୍ୟରେ ହୋଇଥିଲା। ଏକାଧିକ ବିଶ୍ୱକପ ସ୍ବର୍ଣ୍ଣ ବିଜେତା ବର୍ମା ୧୪୩-୧୪୩ (୧୦*-୧୦)ରେ ଅମିତଙ୍କୁ ହରାଇ ଦେଇଥିଲେ। ପରେ ଦଲାଲ କାଜାଖସ୍ତାନର ସର୍ଗେ ଖ୍ରିଷ୍ଟିଚ୍‌ଙ୍କୁ ୧୪୨-୧୪୧ରେ ପରାସ୍ତ କରି ବ୍ୟକ୍ତିଗତ ବ୍ରୋଞ୍ଜ ହାସଲ କରିବା ଦ୍ୱାରା ପୁରୁଷ କମ୍ପାଉଣ୍ଡ ତୀରନ୍ଦାଜମାନେ କ୍ଲିନ୍‌ ସୁଇପ୍‌ ହାସଲ କରିଥିଲେ।

Share