ବନ୍ୟା ସମୟରେ ତାଳଦଣ୍ଡା କେନାଲ ସଫେଇ

ପାରାଦୀପ,୪ା୮(ଶରତ ରାଉତ): ପାରାଦୀପର ଜୀବନରେଖା କୁହାଯାଉଥିବା ତାଳଦଣ୍ଡା କେନାଲ ଏବେ ସଫେଇ ହେଉଛି। କେନାଲରେ ଥିବା ଯାବତୀୟ ଦଳକୁ ମେଶିନ ଦ୍ୱାରା କଢ଼ା ଯାଇ ରାସ୍ତା କଡ଼ରେ ରଖାଯାଉଛି। ପରେ କେନାଲରେ ଥିବା ପରିତ୍ୟକ୍ତ ପାଣିକୁ ଅଠରବାଙ୍କି ଲକ୍‌ ବାଟେ ନିଷ୍କାସନ କରାଯିବ। ଏଭଳି ବ୍ୟବସ୍ଥା କେବଳ ବନ୍ୟା ସମୟରେ କରାଯାଇଥାଏ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି କେନାଲ ଇଂରେଜ ଶାସନ ସମୟ ୧୮୬୬ରେ କରାଯାଇଥିଲା। କଟକ ଜୋବ୍ରାଠାରୁ ପାରାଦୀପର ଚଉମୁହାଣୀ ପର୍ଯ୍ୟନ୍ତ ଏହା ଥିଲା। ଏଥିରେ ୨ଟି ଶାଖା କେନାଲ (ତାଳଦଣ୍ଡା ଓ ମାଛଗଁା)ସମେତ ୧୭ ଟି ଲକ ରହିଛି। ଜଗତ୍‌ସିଂହପୁର ଜିଲାର କୃଷି ପାଇଁ ଏହା ବ୍ୟବହାର ହେବା ସହ ଏଥିରେ ପଣ୍ୟ କାରବାର ହେଉଥିଲା। ବୋଇତରେ ପଣ୍ୟ ଆସି ଚଉମୁହାଣୀଠାରେ ରୁହେ। ପରେ ଛୋଟ ଡଙ୍ଗା ଦ୍ୱାରା କଟକ ମାଲଗୋଦାମ ପର୍ଯ୍ୟନ୍ତ ଯାଇଥାଏ। ୧୯୬୦ ଦଶକରେ ପାରାଦୀପ ବନ୍ଦର ହେବା ପରେ ପାଣି ପାଇଁ ଏହି କେନାଲ ଦରକାର ପଡ଼ିଥିଲା। ସେଥିପାଇଁ ନୂଆଗଡ଼ ପଞ୍ଚାୟତ ସିଙ୍ଗଟାଳୀଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ପାରାଦୀପ ବନ୍ଦର କେନାଲ ଖୋଳି ପାଣି ବ୍ୟବହାର କରୁଥିଲେ। ପରେ ସେହି କେନାଲ ପାଣି ପାରାଦୀପର ସମସ୍ତ ଶିଳ୍ପସଂସ୍ଥା ନେଇ ବ୍ୟବହାର କରୁଛନ୍ତି। ପୂର୍ବଭଳି ଆଉ ଚାଷ ପାଇଁ ପାଣି ଯାଉନାହିଁ।
ତାଳଦଣ୍ଡା କେନାଲର ଖନନ କାର୍ଯ୍ୟ ୨୦୧୩ରୁ ଆରମ୍ଭ ହୋଇଛି। ପ୍ରତିବର୍ଷ ଖରାଦିନେ ପାଣି ଯୋଗାଣ ବନ୍ଦ କରାଯାଉଛି। ଯେଉଁଥି ପାଇଁ ପାରାଦୀପରେ ଖରାଦିନେ ଜଳା ଭାବ ଦେଖାଦେଉଛି। ଚଳିତବର୍ଷ ଜୋବ୍ରାଠାରେ ପାଣି ନ ଥିବାରୁ କେନାଲରେ ପାଣି ଯୋଗାଣ ବିଳମ୍ବ ହୋଇଥିଲା। ଏବେ ବନ୍ୟା ଜଳ ଆସିବା ପରେ କେନାଲରେ ପାଣି ଯୋଗାଣ କରାଯିବା ସହ ସଫେଇ ହେଉଛି ବୋଲି ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଦେବାଶିଷ ମହାନ୍ତି କହିଛନ୍ତି। ଏବେ ବନ୍ୟା ପରିସ୍ଥିତି ପାଇଁ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ସେହି ବନ୍ୟା ଜଳ ତାଳଦଣ୍ଡା କେନାଲ ପାଇଁ ଆଶ୍ରୀବାଦ ସାଜିଛି।