ଆଜିଠାରୁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ପର୍ଯ୍ୟଟନକ୍ଷେତ୍ରର ସଫେଇ, ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ସମସ୍ତେ…

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ଦାରିଙ୍ଗବାଡ଼ି ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଜଣାଶୁଣା। ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସୁଥିବା ବେଳେ କୁଢ଼କୁଢ଼ ଅଳିଆ ଆବର୍ଜନା ଦେଖି ପର୍ଯ୍ୟଟକ ଓ ଦାରିଙ୍ଗବାଡ଼ିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ନାକ ଟେକୁଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଦାରିଙ୍ଗବାଡ଼ି ଏବେ ଗଦା ଗଦା ପ୍ଲାଷ୍ଟିକ ଉପରେ ଠିଆ ହୋଇଛି। ଯାହାକି ଆଗାମୀ ପିଢ଼ି ପାଇଁ ଚିନ୍ତା ବଢ଼ାଇଛି। ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ବୁଦ୍ଧିଜୀବୀ ମହଲରେ ଏକାକୀ ପ୍ଲାଷ୍ଟିକ ବ୍ୟବହାରକୁ ନେଇ ଚିନ୍ତା ବଢୁଛି। ଏହାର ସଚେତନ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ଚିନ୍ତା କରୁଥିଲେ ସୁଦ୍ଧା କୌଣସି ପରିବର୍ତ୍ତନ ଦେଖାଯାଇନାହିଁ।
ଏବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ‘ସ୍ବଚ୍ଛତା ହିଁ ସେବା’ ଘୋଷଣା କରାଯିବା ସହ ଗାଁଠାରୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯିବା ସହ ଶପଥ ପାଠ, ପ୍ଲାଷ୍ଟିକ ବ୍ୟବହାରକୁ ନା କହିବା ଓ ସପ୍ତାହକୁ ୨ ଘଣ୍ଟା ସଫେଇ କରିବା ଆଦି ସଚେତନ କରାଯାଇଛି। ଚଳିତ ମାସ ୧୭ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପାଳନ କରାଯିବ। ଏହାକୁ ଗୁରୁବାର ଠାରୁ ବ୍ୟାପକ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ବ୍ଲକ ପରିସରଠାରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ତହସିଲଦାର ଶରତ ଶବରଙ୍କ ଉପସ୍ଥିତିରେ ମିଶନଶକ୍ତିର ସଦସ୍ୟଙ୍କ ସମେତ ସରକାରୀ, ବେସରକାରୀ ସଂସ୍ଥାର କର୍ମକର୍ତ୍ତାମାନେ ଯୋଗ ଦେଇ ସଫେଇରେ ସାମିଲ ହୋଇଥିଲେ। ଏଥିସହ ସମସ୍ତେ ଶପଥ ନେଇଥିଲେ ଯେ, ଦାରିଙ୍ଗବାଡ଼ିକୁ ସ୍ବଚ୍ଛତା ରଖିବା ପାଇଁ ସପ୍ତାହକରେ ୨ ଘଣ୍ଟା ଅଞ୍ଚଳରେ ସାମୁହିକ ବା ବ୍ୟକ୍ତିଗତ ସଫେଇ କରିବେ। ଏହା ବର୍ଷ ତମାମ ଜାରି ରଖିବାକୁ ଶପଥ ନେଇଥିଲେ। ଅନ୍ୟ ଦେଶ ଯେଉଁଭଳି ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ରଖି ତାକୁ ନଷ୍ଟ କରିଥାଏ ସେଭଳି ଅଳିଆ ଏଣେ ତେଣେ ନ ପକାଇବାକୁ ସମସ୍ତେ ଶପଥ ନେଇଥିଲେ। ସେହିପରି ମାନବଶୃଙ୍ଖଳ ମାଧ୍ୟମରେ ଦାରିଙ୍ଗବାଡ଼ିକୁ ସ୍ବଚ୍ଛତା ରଖିବାକୁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ସଫେଇ କାର୍ଯ୍ୟକ୍ରମକୁ ମିଶନଶକ୍ତିର ମହିଳାମାନେ ଆଗଭର ହେବା ସହ ମହିଳାମାନେ ଆଗକୁ ଆସିଲେ ଦେଶ ଆଗକୁ ଯିବ ବୋଲି ନାରା ଦେବା ସହ ସଫେଇ କରିଥିଲେ। ଆଜିଠାରୁ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପ୍ରତିଦିନ ଗାଁ, ପଞ୍ଚାୟତ ଓ ବ୍ଲକସ୍ତରରେ ରହିଥିବା ପର୍ଯ୍ୟଟନକ୍ଷେତ୍ର ସମେତ ଚି଼ହ୍ନଟ କରାଯାଇଥିବା ବ୍ଲାକ୍‌ ସ୍ପଟ୍‌ଗୁଡିକୁ ସଫେଇକୁ ଜୋର୍‌ଦାର କରାଯିବା ସହ ଲୋକଙ୍କୁ ବ୍ୟାପକ ସ୍ବଚ୍ଛତା ସମ୍ପର୍କରେ ସଚେତନ କରାଯାଇଛି।