ଚାନ୍ଦା ପାଇଁ ଚାଲାକି

ବିଚିତ୍ର ବିଶ୍ୱାଳ

 

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ପରିମାଣ ଓ ଦାତାଙ୍କ ନାମ ଘୋଷଣା କରିବା ପରେ କଳାଟଙ୍କା ରୋକିବା ନାଁରେ କେନ୍ଦ୍ର ସରକାର ଯେ ପ୍ରକୃତରେ ରାଜନୈତିକ ଦଳଗୁଡ଼ିକ ପାଇଁ ଅନୈତିକ ପାଣ୍ଠି ଯୋଗାଡ଼ର ବ୍ୟବସ୍ଥା କରୁଥିଲେ ତାହା ସ୍ପଷ୍ଟ ହୋଇଯାଇଛି। ସଂପ୍ରତି କେନ୍ଦ୍ରର ଭାଜପାର ସରକାର ଏହି ଯୋଜନାର ସର୍ବାଧିକ ଲାଭ ନେବାରେ ଦଳ ସଫଳ ହୋଇଛି । ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଥିବା ତଥ୍ୟ ଅନୁସାରେ, ୨୦୧୯ ଏପ୍ରିଲରୁ ୨୦୨୪ ଜାନୁଆରୀ ମଧ୍ୟରେ ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ମିଳିଥିବା ୧୬,୫୧୮ କୋଟି ଚାନ୍ଦା ମଧ୍ୟରୁ କେବଳ ଭାଜପାକୁ ୬୦୬୦.୫ କୋଟି ଟଙ୍କା ମିଳିଛି। ଯଦି ୨୦୧୮ ମାର୍ଚ୍ଚରୁ ହିସାବ କରାଯାଏ ତେବେ ଭାଜପାକୁ ୮୨୫୧.୮ କୋଟି ଟଙ୍କା ମିଳିଛି, ଯାହା ଦେଶର ଅନ୍ୟ ସମସ୍ତ ରାଜନୈତିକ ଦଳକୁ ମିଳିଥିବା ଚାନ୍ଦାର ପରିମାଣ ମିଶିଲେ ତା’ସହିତ ପ୍ରାୟତଃ ସମାନ। ତେଣୁ ଏଥିରୁ ସ୍ପଷ୍ଟ ଯେ ନିଜ ଦଳର ପାଣ୍ଠି ବୃଦ୍ଧି କରିବା ପାଇଁ ଭାଜପା ଏପରି ଏକ ସମ୍ବିଧାନବିରୋଧୀ ଯୋଜନା ପ୍ରଣୟନ କରିଥିଲା। ଯଦି ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ନ ଥାନ୍ତେ ତେବେ ଦେଶର ଜନତାଙ୍କ ତଥ୍ୟ ଜାଣିବାର ଅଧିକାର ବ୍ୟାହତ ହେବା ସହିତ କେନ୍ଦ୍ର ସରକାରଙ୍କର ଗୋପନ ଉଦ୍ଦେଶ୍ୟ ଲୋକଲୋଚନକୁ ଆସି ନ ଥାନ୍ତା। ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ବାରମ୍ବାର କହିଛନ୍ତି, ରାଜନୈତିକ ଦଳଗୁଡ଼ିକୁ କେଉଁ ଉତ୍ସରୁ କେତେ ଟଙ୍କା ମିଳିଲା ତାହା ଜାଣିବା ଜନସାଧାରଣଙ୍କ ଅଧିକାର ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଯୁକ୍ତିକୁ ଭର୍ତ୍ସନା କରିବା ସହିତ ସ୍ପଷ୍ଟ କହିଛନ୍ତି, ଏକ ଗଣତାନ୍ତ୍ରିକ ଦେଶରେ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ଉତ୍ସ ଜାଣିବା ଲୋକମାନଙ୍କର ସାମ୍ବିଧାନିକ ଅଧିକାର।
କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକଭାବେ ଇଡି, ଆୟକର ବିଭାଗ ଓ ସିବିଆଇକୁ ବ୍ୟବହାର କରୁଛନ୍ତି ବୋଲି ହେଉଥିବା ଅଭିଯୋଗ ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଆସିବା ପରେ ଅଧିକ ସ୍ପଷ୍ଟ ହୋଇଯାଇଛି। ଦେଖାଯାଇଛି , ଇଡି ଓ ଆୟକର ବିଭାଗଙ୍କ ଚଢ଼ାଉ ପରେ ଅନେକ କମ୍ପାନୀ ସରକାରକୁ ତୋଷ କରିବା ପାଇଁ ନିର୍ବାଚନୀ ବଣ୍ଡ୍‌ କିଣିଛନ୍ତି। ୨୦୨୨ ଏପ୍ରିଲ୍‌ରେ ଫ୍ୟୁଚର ଗେମିଙ୍ଗ୍‌ କମ୍ପାନୀ ଉପରେ ଇଡି ଚଢ଼ାଉର ପାଞ୍ଚଦିନ ପରେ ସେହି କମ୍ପାନୀ ୧୦୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣିଛି। ସେହିପରି ଡକ୍ଟର ରେଡ୍ଡୀ କମ୍ପାନୀ ଉପରେ ୨୦୨୩ ନଭେମ୍ବର ୧୩ରେ ଆୟକର ବିଭାଗ ତରଫରୁ ଚଢ଼ାଉ କରାଗଲା। ନଭେମ୍ବର ୧୭ରେ ଏହି କମ୍ପାନୀ ୨୧ କୋଟି ଟଙ୍କାର ବଣ୍ଡ୍‌ କିଣିଛି। ଋତିକ୍‌ କମ୍ପାନୀ ଉପରେ ଚଢ଼ାଉ କରାଯିବା ପରେ ତା’ର ମାଲିକ ଭାଜପା ଦଳରେ ମିଶିଲେ ଓ ୪୫ କୋଟି ଟଙ୍କାର ବଣ୍ଡ୍‌ କିଣିଲେ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କରିଥିବା ଅଭିଯୋଗ ଅନୁସାରେ ଇଡି, ସିବିଆଇ ଓ ଆୟକର ବିଭାଗ ଦ୍ୱାରା ୫୬ଟି ଚଢ଼ାଉର ସମ୍ମୁଖୀନ ହୋଇଥିବା ୪୧ଟି କମ୍ପାନୀ କେବଳ ଭାଜପାକୁ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ୨୫୯୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ଏଥିମଧ୍ୟରୁ ୧୮୫୩ କୋଟି ଟଙ୍କା କେବଳ ଚଢ଼ାଉ ପରେ ହଁି ମିଳିଛି। କେଭେଣ୍ଡର ନାମକ ଏକ କମ୍ପାନୀର ମୋଟ୍‌ ଲାଭ ୧୦ କୋଟି ଟଙ୍କାରୁ କମ୍‌ ହୋଇଥିବା ବେଳେ ଏହା ଭିନ୍ନ ଭିନ୍ନ ନାମରେ ୬୧୭ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ କିଣି ରାଜନୈତିକ ଦଳଗୁଡ଼ିକୁ ଦେଇଛି। ଏହିଭଳି କମ୍ପାନୀମାନଙ୍କ ଉପରେ ଚଢ଼ାଉ କରିବା ପାଇଁ ଇଡି, ସିବିଆଇ ଏବଂ ଆୟକର ବିଭାଗ ସାହସ କରିବେ କି? କଳାଧନକୁ ରୋକିବା ପରିବର୍ତ୍ତେ ନିର୍ବାଚନୀ ବଣ୍ଡ୍‌ କଳାଧନକୁ ଅଧିକ ବଢ଼େଇଛି ଓ କମ୍ପାନୀଗୁଡ଼ିକ ଏହାକୁ ଲାଞ୍ଚ ଭାବେ ବ୍ୟବହାର କରି ସରକାରଙ୍କଠାରୁ ଅହେତୁକ ସାହାଯ୍ୟ ପାଇ ନିଜ ବ୍ୟବସାୟର ସାମ୍ରାଜ୍ୟ ବୃଦ୍ଧି କରିଛନ୍ତି। ଭାଜପାକୁ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ଶହ ଶହ କୋଟି ଟଙ୍କା ଚାନ୍ଦା ଦେଇଥିବା ୩୮ଟି କମ୍ପାନୀଙ୍କୁ ସରକାରଙ୍କ ତରଫରୁ ୧୭୯ଟି ପ୍ରକଳ୍ପ ମାଧ୍ୟମରେ ୩.୮ ଲକ୍ଷ କୋଟି ଟଙ୍କାର ଠିକା ଦିଆଯାଇଛି। ନିର୍ବାଚନୀ ବଣ୍ଡ୍‌ ହେଉଛି ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ଏକ କ୍ଷୁଦ୍ର ଅଂଶ। ଆହୁରି ହଜାର ହଜାର କୋଟି ଟଙ୍କା ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ବାଟରେ ପାଉଛନ୍ତି, ଯାହା ଲୋକମାନେ ଜାଣିପାରୁନାହାନ୍ତି। ଇଡି, ସିବିଆଇ ଓ ଆୟକର ବିଭାଗ ଯେଉଁ ଆଧାରରେ ଭିନ୍ନ ଭିନ୍ନ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଚଢ଼ାଉ କରୁଛି, ସେହି ଆଧାରରେ ଭିନ୍ନ ଭିନ୍ନ ରାଜ୍ୟରେ ଓ କେନ୍ଦ୍ରରେ କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିବା ଉଚିତ ନୁହେଁ କି?
ନାଟକୀୟ ଭାବେ ନିର୍ବାଚନୀ ବଣ୍ଡ୍‌ ମାଧ୍ୟମରେ ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦାର ତାଲିକାରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ଚତୁର୍ଥ ସ୍ଥାନରେ ରହିଛି। ୨୦୧୮-୧୯ରୁ ୨୦୨୩-୩୪ ମଧ୍ୟରେ ଓଡ଼ିଶାର ବିଜୁ ଜନତା ଦଳକୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ୯୯୪.୫ କୋଟିି ଟଙ୍କା ଚାନ୍ଦା ମିଳିଛି। କେତେକ ମାଇନିଙ୍ଗ୍‌ କମ୍ପାନୀ ରାଜ୍ୟର କ୍ଷମତାସୀନ ଦଳକୁ ମୋଟା ପରିମାଣର ଚାନ୍ଦା ଦେଇଛନ୍ତି। ସେମାନେ ଖଣି ଖୋଳୁଥିବା ଅଞ୍ଚଳରେ ପରିବେଶ ଓ ବିସ୍ଥାପନ ଆଦିର ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସେମାନଙ୍କୁ ବାଧ୍ୟ କରିପାରିବେ କି? ବିକାଶ ନାମରେ ଜନବିରୋଧୀ ଖଣି ଓ ପ୍ରକଳ୍ପ ସ୍ଥାପନା କରିବା ପଛରେ ଏପରି ମୋଟା ରକମର ଚାନ୍ଦାର ଖେଳ ଅଛି ବୋଲି ବୁଝିବାରେ ଆଉ ବାକି ନାହିଁ । ଖଣି ମାଲିକ, କମ୍ପାନୀମାନେ ଭିନ୍ନ ଭିନ୍ନ ରାଜ୍ୟରେ ଓ କେନ୍ଦ୍ରରେ କ୍ଷମତାସୀନ ଦଳଗୁଡ଼ିକ ମୋଟା ପରିମାଣର ଚାନ୍ଦା ଦେଇ ଲୋକଙ୍କୁ ମାରିବାର ସିଧା ଲାଇସେନ୍ସ ପାଇଯାଉଛନ୍ତି। ସେହି କାମରେ ସରକାର ସେମାନଙ୍କୁ କଳବଳ ଲଗେଇ ସାହାଯ୍ୟ କରୁଥିବାର ଗୁମର ପଛରେ କେବଳ ଟଙ୍କାର ଖେଳ ଅଛି।
ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ମୋଟା ଅଙ୍କର ଚାନ୍ଦା କୌଣସି ଜନମଙ୍ଗଳକାରୀ କାମରେ ନ ଲାଗି କେବଳ ଭୋଟରମାନଙ୍କୁ ପ୍ରଭାବିତ କରିବା ତଥା ଭୋଟ୍‌ କିଣିବା କାମରେ ବ୍ୟବହାର ହେଉଛି। ଗତ ପାଞ୍ଚବର୍ଷ ମଧ୍ୟରେ ଓଡ଼ିଶାରେ ବିଜେଡିକୁ ମିଳିଥିବା ଚାନ୍ଦାର ପରିମାଣକୁ ହିସାବ କଲେ ପ୍ରତ୍ୟେକ ଲୋକ ସଭା ନିର୍ବାଚନମଣ୍ଡଳୀ ପିଛା ୪୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପଡ଼ୁଛି। ଏତିକି ପରିମାଣର ଟଙ୍କାରେ ଗୋଟିଏ ନିର୍ବାଚନମଣ୍ଡଳୀର ବିକାଶ କରିବାକୁ କୌଣସି ଅଭାବ ରହିବ ନାହିଁ । ଏହିସବୁ ଟଙ୍କା ଯଦି ରାଜନୈତିକ ଦଳକୁ ନ ଯାଇ ସରକାରଙ୍କ ରାଜସ୍ବକୁ ଆସିବ ତେବେ ଗରିବୀ ବେକାରି ପରି ସମସ୍ୟା ଦୂର ପାଇଁ ପାଣ୍ଠିର ଅଭାବ ରହନ୍ତା ନାହିଁ ।
ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଦୁର୍ନୀତିକୁ ନିର୍ବାଚନୀ ବଣ୍ଡ୍‌ ପଛରେ ପକେଇଦେଇଛି। ଏଠାରେ ଟଙ୍କାର ପରିମାଣ ଅପେକ୍ଷା ଏହା ପଛରେ ଥିବା ଅଭିସନ୍ଧିକୁ ଦେଖିବାକୁ ହେବ। ଦିନ ଦି’ପହରରେ ଜନସାଧାରଣଙ୍କୁ ଭୁଆଁବୁଲେଇ ଟଙ୍କା ଲୁଟିବାର କ୍ଷମତାସୀନ ଦଳଗୁଡ଼ିକର ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର। କ୍ଷମତାକୁ ଆସିବା ପରେ ଯେଉଁ ପରିମାଣରେ ଭାଜପା, ବିଜେଡି, ତୃଣମୂଳ କଂଗ୍ରେସ ତଥା ଅନ୍ୟାନ୍ୟ ରାଜ୍ୟରେ କ୍ଷମତାସୀନ ଦଳଗୁଡ଼ିକର ପାଣ୍ଠି ବଢ଼ିଛି, ତା’ର ହଜାରେ ଭାଗରୁ ଭାଗେବି ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ଆସିନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଲୋକମାନଙ୍କର ବିକାଶ ବା ତଥାକଥିତ ମହାପୁରୁଷଙ୍କ ସ୍ବପ୍ନ ପୂରଣର ସ୍ଲୋଗାନ୍‌ ରାଜନୈତିକ ଦଳଗୁଡ଼ିକ ପାଇଁ କେବଳ ଭୋଟରମାନଙ୍କୁ ଭୁଆଁବୁଲେଇବାର ଏକ ଭେଳିକି। ଆଜିର ସମୟରେ ରାଜନୈତିକ ଦଳଗୁଡ଼ିକର ଚରିତ୍ର ଓ ଉଦ୍ଦେଶ୍ୟକୁ ଏହି ନିର୍ବାଚନୀ ବଣ୍ଡ୍‌ ସହିତ ସଂଯୁକ୍ତ କରି ବୁଝିବାକୁ ହେବ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri