Categories: ଜାତୀୟ

ହିମାଳୟ ପାଇଁ ଖୋଲିବ ଜଳବାୟୁ କେନ୍ଦ୍ର

ନୂଆଦିଲ୍ଲୀ, ୧୫।୧୨(ପି.ଟି.): ହିମାଳୟ ପାର୍ବତ୍ୟାଞ୍ଚଳ ପାଇଁ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ଖୋଲିବା ଲାଗି ଭାରତ ସରକାର ଯୋଜନା କରୁଛନ୍ତି। ଏହା କେବଳ ଆମ ଦେଶକୁ ପାଣିପାଗ ସମ୍ପର୍କିତ ତଥ୍ୟ ଓ ପରାମର୍ଶ ଦେବନାହିଁ, ପଡୋଶୀ ଦେଶଗୁଡ଼ିକ ମଧ୍ୟ ଏଥିରୁ ଉପକୃତ ହୋଇପାରିବେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ କାମ ଆରମ୍ଭ ହୋଇଯାଇଛି ଏବଂ ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ସହିତ ଆଲୋଚନା ଚାଲିଛି। ଚାଇନା ମଧ୍ୟ ହିମାଳୟର ନିଜ ପାର୍ଶ୍ୱରେ ଅନୁରୂପ ଏକ ଆଞ୍ଚଳିକ ଜଳବାୟୁ କେନ୍ଦ୍ର ସ୍ଥାପନ କରୁଛି। ପାର୍ବତ୍ୟାଞ୍ଚଳରେ ପାଣିପାଗ ଓ ଜଳବାୟୁ ସେବା ଶୀର୍ଷକ ଓ୍ବେବିନାରରେ ଉଦ୍‌ବୋଧନ ଦେଇ ମୃତ୍ୟୁଞ୍ଜୟ କହିଥିଲେ, ଭାରତର ପୂର୍ବ ଓ ପଶ୍ଚିମରେ ଯଥାକ୍ରମେ ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳା ଏବଂ ଉତ୍ତରପୂର୍ବାଞ୍ଚଳରେ ମ୍ୟାନ୍‌ମାର ପାହାଡ଼ ରହିଛି। ହିମାଳୟର ବିଶାଳତା ଏବଂ ଭାରତର ଜଳବିଜ୍ଞାନ, ପାଣିପାଗ, ବିପର୍ଯ୍ୟୟ ପରିଚାଳନା, ପରିବେଶ ବ୍ୟବସ୍ଥା ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହାର ଭୂମିକାକୁ ବିଚାରକୁ ନେଇ ଏହାକୁ ବିଶ୍ୱର ତୃତୀୟ ମେରୁ ବିବେଚନା କରାଯାଉଛି। ନିର୍ମାଣ ହେବାକୁ ଥିବା ଆଞ୍ଚଳିକ ଜଳବାୟୁ କେନ୍ଦ୍ର (ଆର୍‌ସିସି)ର କାର୍ଯ୍ୟାଳୟ ଦିଲ୍ଲୀରେ ରହିବ। ହିମାଳୟ ଅଞ୍ଚଳରେ ରହୁଥିବା ଚାଷୀ ଓ ଆଦିବାସୀମାନଙ୍କୁ ଏହା ପାଣିପାଗ ସମ୍ପର୍କିତ ସେବା ଯୋଗାଇବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

 

Share