ଚାଇନାରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ସଙ୍ଗିନ

ବେଜିଂ,୨୭ା୮: ଆଜିକାଲି ଚାଇନା ପ୍ରତିକୂଳ ପରିବେଶ ଦେଇ ଗତି କରୁଛି। ଦେଶର ଅନେକ ଭାଗରେ ପ୍ରବଳ ଉତ୍ତାପ ସାଙ୍ଗକୁ ମରୁଡ଼ି ଦେଖା ଦେଇଥିବାବେଳେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୟୁରୋପ ଭଳି ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଚାଇନାରେ ପ୍ରବଳ ଉତ୍ତାପ ସମ୍ପର୍କରେ ଚେତାବନୀ ଦେଇଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଡବ୍ଲ୍ୟୁଏମ୍‌ଓ କହିଛି। ସଂଗଠନ ଆହୁରି ମଧ୍ୟ କହିଛି, ଆସନ୍ତା ୫ ବର୍ଷ ମଧ୍ୟରେ ସମସ୍ତ ଦେଶକୁ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ କରି ଗ୍ରୀନ୍‌ ହାଉସ ଗ୍ୟାସ ହ୍ରାସ କରିବାକୁ ପଡ଼ିବ।

ବିଶ୍ୱ ପାଣିପାଗ ବିଭାଗ (ଡବ୍ଲ୍ୟୁଏମ୍‌ଓ) ସହକାରୀ ସଚିବ ଡ.ଓ୍ବେନଜିଆନ ଝାଙ୍ଗ କହିଛନ୍ତି , ଚାଇନାରେ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଅତ୍ୟନ୍ତ ଗୁରୁତର। ଦେଶର ଦକ୍ଷିଣ ଭାଗରେ ପ୍ରବଳ ଉତ୍ତାପ ଓ ମରୁଡ଼ି ପରିସ୍ଥିତି ଦେଖା ଦେଇଥିବା ବେଳେ ଉତ୍ତର ଭାଗରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ତେଣୁ ବିପର୍ଯ୍ୟୟ ନିରାକରଣ ଏବଂ ରିଲିଫ କାର୍ଯ୍ୟ ପାଇଁ ଅନେକ ଆହ୍ବାନ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେ ସ୍ପଷ୍ଟ ଭାବେ ଦେଖିପାରୁଛୁ।

ଜୁନ୍‌ ୧୩ରୁ ଦକ୍ଷିଣ ଚାଇନାରେ ପ୍ରବଳ ଉତ୍ତାପ ଆରମ୍ଭ ହୋଇଥିଲା। ୧୯୬୧ ପରଠାରୁ ଦେଶରେ ପାଣିପାଗ ପରିସ୍ଥିତି ରେକର୍ଡ କରାଯାଉଛି, ସେବେଠାରୁ ଚଳିତବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ଅଟେ। ଅଗଷ୍ଟ ୧୫ ସୁଦ୍ଧା ଚାଇନାରେ ପ୍ରବଳ ଉତ୍ତାପ ୨୦୧୩ରେ ୬୨ଦିନର ରେକର୍ଡ ଭାଙ୍ଗିଛି। ଅଗଷ୍ଟ ୨୬ରୁ ଦେଶରେ ଉତ୍ତାପ ଟିକେ ହ୍ରାସ ପାଇଛି।

Share