ବିମାନ ଯାତ୍ରାରେ ଜଳବାୟୁ ପରିବର୍ତ୍ତନ ବାଧକ

ଲଣ୍ଡନ, ୧୩ା୬: ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାଣୀ ଜଗତ ପ୍ରଭାବିତ ହେବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, କ୍ଳାଇମେଟ୍‌ ଚେଞ୍ଜ ବିମାନଯାତ୍ରାରେ ମଧ୍ୟ ବାଧକ ସାଜିଲାଣି। ବ୍ରିଟେନ୍‌ସ୍ଥିତ ୟୁନିଭର୍ସିଟି ଅଫ୍‌ ରିଡିଂର ଗବେଷକଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁ ଆକାଶ ପଥରେ କ୍ଲିନ୍‌-ଏୟାର ଟର୍ବୁଲାନ୍ସ ତିଆରି ହୋଇଥାଏ, ଯାହାକି ବିମାନ ଉଡ଼ାଣରେ ବାଧା ସୃଷ୍ଟି କରିଥାଏ।
ଜଳବାୟୁ ପରିବର୍ତ୍ତନ ହେତୁ ସୃଷ୍ଟ କ୍ଲିନ୍‌-ଏୟାର ଟର୍ବୁଲାନ୍ସର ମାତ୍ରା ପ୍ରତ୍ୟେକ ରିଜିୟନ୍‌ରେ ବଢ଼ିଥିବା ଗବେଷକମାନେ ଲକ୍ଷ୍ୟ କରିଛନ୍ତି। ଅଧ୍ୟୟନ ସମ୍ପର୍କିତ ବିସ୍ତୃତ ବିବରଣୀ ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ ଜର୍ନାଲରେ ପ୍ରଦାନ କରାଯାଇଛି। ଉତ୍ତର ଆଟଲାଣ୍ଟିକ୍‌ ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଆକାଶମାର୍ଗ। ୧୯୭୯ରେ ୧୭.୭ ଘଣ୍ଟା ଏବଂ ୨୦୨୦ରେ ୨୭.୪ ଘଣ୍ଟା ମଧ୍ୟରେ ବଡ଼ଧରଣର ଟର୍ବୁଲାନ୍ସ ମାତ୍ରା ୫୫% ବୃଦ୍ଧି ପାଇଛି। ସେହିପରି ୭୦.୦ରୁ ୯୬.୧ ଘଣ୍ଟା ମଧ୍ୟରେ ମଧ୍ୟମଧରଣର ଟର୍ବୁଲାନ୍ସ ମାତ୍ରା ୩୭% ବଢ଼ିଥିବାବେଳେ ସାଧାରଣ ବା କମ୍‌ ପ୍ରଭାବୀ ଟର୍ବୁଲାନ୍ସ ମାତ୍ରା ୪୬୬.୫ରୁ ୫୪୬.୮ ଘଣ୍ଟାରେ ୧୭% ବଢ଼ିଥିବା ଅଧ୍ୟୟନ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହିପରି ଭାବେ କ୍ରମାଗତ ଟର୍ବୁଲାନ୍ସ ବଢ଼ିବାର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି। ଗ୍ରୀଷ୍ମ ପ୍ରବାହ ଯୋଗୁ ନିଷ୍କ୍ରିୟ ଅଙ୍ଗାରକାମ୍ଳରୁ କ୍ଲିନ୍‌-ଏୟାର ଟର୍ବୁଲାନ୍ସ ସୃଷ୍ଟି ହୋଇଥାଏ। ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୁଏ। ଏଥିଲାଗି ବିମାନ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଯାଏ। ଗତ ୪୦ ବର୍ଷ ତୁଳନାରେ ବର୍ତ୍ତମାନ ଟର୍ବୁଲାନ୍ସ ମାତ୍ରା ବଢ଼ିଛି। ଆଗକୁ ସମାନ ସ୍ଥିତି ରହିଲେ ଲୋକଙ୍କ ପକ୍ଷେ ବିମାନଯାତ୍ରା କରିବା ଜଟିଳ ହୋଇପଡ଼ିବ। ଏପ୍ରକାର ସମସ୍ୟାକୁ ଏଡ଼ାଇବା ଲାଗି ଟର୍ବୁଲାନ୍ସ ଫୋରକାଷ୍ଟିଂ ପାଇଁ ଯୋଜନା ପ୍ରସ୍ତୁତ କରିବା ଜରୁରୀ ବୋଲି ୟୁନିଭର୍ସିଟି ଅଫ୍‌ ରିଡିଂର ଆଟମୋସ୍ଫିଅରିକ୍‌ ସାଇଣ୍ଟିଷ୍ଟ ପ୍ରଫେସର ପଲ ଓ୍ବିଲିୟମ୍ସ କହିଛନ୍ତି।

Share