ଜଳବାୟୁର ସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆଣିବା ଆବଶ୍ୟକ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ଆୟୋଜିତ ଟିସୁ କଲଚରର ଆଧୁନିକ ଜ୍ଞାନକୌଶଳ ଉପରେ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜ୍ଞାନ, କାରିଗରୀ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଜଳବାୟୁର ସାମ୍ପ୍ରତିକ ସ୍ଥିତି ଓ ଓଡ଼ିଶାର ଅବସ୍ଥିତିକୁ ନେଇ କୃଷି ଉତ୍ପାଦନରେ ବିବିଧତା ଆସିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଛନ୍ତି। ଓୟୁଏଟି କୁଳପତି ପବନ କୁମାର ଅଗ୍ରୱାଲ ବୈଠକରେ ଅଧ୍ୟକ୍ଷତା କରି କହିଲେ, ଓୟୁଏଟି ସ୍ଥାପନ ହେବା ପରେ ଖାଦ୍ୟାଭାବ ସମସ୍ୟା ବହୁମାତ୍ରାରେ ଦୂରୀଭୂତ ହୋଇଛି। ଏବେ ଓଡ଼ିଶା ଶସ୍ୟ ଉତ୍ପାଦନରେ ଦେଶରେ ଅଗ୍ରଣୀ ଭୂମିକା ନେଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟରୁ ୨୦ଜଣ ଗବେଷକ, ପ୍ରଧ୍ୟାପକ ଓ ବୈଜ୍ଞାନିକମାନେ ଟିସୁ କଲଚର ଉପରେ ଅଧିକ ଜ୍ଞାନ ଆହରଣ ନିମନ୍ତେ ଏହି ତାଲିମରେ ଯୋଗଦେଇଥିଲେ। କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡକ୍ଟର କୁମ୍ଭକର୍ଣ୍ଣ ରାଉତ, ଡକ୍ଟର ସିଦ୍ଧାର୍ଥ କୁମାର ପଲେଇ, ପୁଷ୍ପ ଓ ଭୂପୃଷ୍ଠ ଦୃଶ୍ୟ ଉଦ୍ୟାନ ବିଭାଗର ବିଭାଗୀୟ ମୁଖ୍ୟ ତଥା ତାଲିମ କାର୍ଯ୍ୟକ୍ରମର ନୋଡାଲ ଅଫିସର ତଥା ସଂଯୋଜିକା ଡକ୍ଟର ଶଶୀକଳା ବେଉରା ଉପସ୍ଥିତ ଥିଲେ।

Share