ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ: ଅଷ୍ଟମରେ ଭାରତ

ଶର୍ମ ଏଲ୍‌-ଶେଖ୍‌,୧୫ା୧୧: ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ପକ୍ଷରୁ ଚାଲିଥିବା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୭ତମ ସମ୍ମିଳନୀରେ ବିଶ୍ୱନେତାମାନେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି। କୋପ୍‌-୨୭ ପରିପ୍ରେକ୍ଷୀରେ ସୋମବାର ନ୍ୟୁ କ୍ଲାଇମେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏବଂ ଜର୍ମାନ ଓ୍ବାଚ୍‌ ପକ୍ଷରୁ ମିଳିତ ଭାବେ କ୍ଲାଇମେଟ୍‌ ଚେଞ୍ଜ ପରଫରମାନ୍ସ ଇଣ୍ଡେକ୍ସ ଜାରି କରାଯାଇଛି। ୧୯୯୦ ତୁଳନାରେ ୨୦୨୫ ସୁଦ୍ଧା ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କରିବାରେ କୌଣସି ଦେଶ ସଫଳ ହୋଇ ନ ଥିବାରୁ ଏହି ସୂଚକାଙ୍କର ପ୍ରଥମରୁ ତୃତୀୟ ସ୍ଥାନ ଖାଲି ରଖାଯାଇଛି। ସମୀକ୍ଷା କରାଯାଇଥିବା ୬୩ ରାଷ୍ଟ୍ର ମଧ୍ୟରେ ସବା ତଳେ ଇରାନ ରହିଛି। ଏଥିରେ ଭାରତ ଅଷ୍ଟମ ସ୍ଥାନ ଅଧିକାର କରିଛି। ୟୁରୋପୀୟ ସଂଘ (ଇୟୁ) ୧୯ତମ ସ୍ଥାନରେ ଥିବାବେଳେ ଆମେରିକା ୫୨ତମ ସ୍ଥାନକୁ ଖସିଛି। ବିଶ୍ୱର ସର୍ବାଧିକ ପ୍ରଦୂଷଣ ସୃଷ୍ଟିକାରୀ ଦେଶ ଚାଇନା ଏହି ତାଲିକାରେ ୫୧ତମ ସ୍ଥାନ ପାଇଛି।

Share