Categories: ଜାତୀୟ

ଓଡ଼ିଶାକୁ ଜଳବାୟୁ ପରିବର୍ତ୍ତନ ବିପଦ

ନୂଆଦିଲ୍ଲୀ, ୧୮।୪: ଓଡ଼ିଶା ସମେତ ଦେଶର ୮ ରାଜ୍ୟ ପ୍ରତି ଜଳବାୟୁ ପରିବର୍ତ୍ତନ ଜନିତ ବିପଦ ସର୍ବାଧିକ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମିଜୋରାମ, ଛତିଶଗଡ଼, ଆସାମ, ବିହାର ଏବଂ ଅରୁଣାଚଳପ୍ରଦେଶ। ପୂର୍ବ ହିମାଳୟ ପାର୍ବତ୍ୟାଞ୍ଚଳ ସବୁଠୁ ଅସୁରକ୍ଷିତ ବୋଲି ନ୍ୟାଶନାଲ କ୍ଲାଇମେଟ ଭଲ୍‌ନରେବିଲିଟି ଆସେସ୍‌ମେଣ୍ଟ ରିପୋର୍ଟରେ କୁହାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି। ଆସାମ, ବିହାର ଏବଂ ଝାଡ଼ଖଣ୍ଡର ୬୦ ପ୍ରତିଶତରୁ ଅଧିକ ଜିଲା ସର୍ବାଧିକ ଅସୁରକ୍ଷିତ ବୋଲି ରିପୋର୍ଟରେ କୁହାଯାଇଛି। ଜଳବାୟୁ ଜନିତ ବିପଦର ଆକଳନ କରିବା ଲାଗି ଏହା ପ୍ରଥମ ପଦକ୍ଷେପ। ଏହାକୁ ନେଇ ଆଗାମୀ ଦିନରେ ସେକ୍ଟର ତଥା ଉପଖଣ୍ଡ ସ୍ତରୀୟ ଅସୁରକ୍ଷିତତାର ଆକଳନ କରାଯିବ ବୋଲି ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମର ମୁଖ୍ୟ ଡ. ଅଖିଳେଶ ଗୁପ୍ତା କହିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ସ୍ବିସ୍‌ ଏଜେନ୍ସି ଫର ଡେଭେଲପମେଣ୍ଟ ଆଣ୍ଡ କୋଅପରେଶନ ମିଳିତ ଭାବେ କରିଥିବା ଉକ୍ତ ଆକଳନରେ ୨୪ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରୁ ୯୪ ପ୍ରତିନିଧି ଯୋଗ ଦେଇଥିଲେ। ଉପଯୁକ୍ତ ଜଳବାୟୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବାରେ ଏହି ଆକଳନ ସହାୟକ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ଉନ୍ନତ ମାନର ଜଳବାୟୁ ପରିବର୍ତ୍ତନ ଆଡାପ୍ଟେଶନ ପ୍ରୋଜେକ୍ଟ ମାଧ୍ୟମରେ ଅଧିକ ବିପଦ ଥିବା ଅଞ୍ଚଳର ଲୋକଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯାଇପାରିବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share