ଳବାୟୁ ପରିବର୍ତ୍ତନ ଯୋଗୁ ସବୁଠାରୁ ଯାହା ବେଶି ପ୍ରଭାବିତ ହେଉଛି ତାହା ହେଉଛି ଆମ ଚାଷବାସ। ଜଳବାୟୁ ପରିବର୍ତ୍ତନ ଜନିତ ମରୁଡ଼ି ଓ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷରେ ବ୍ୟାପକ ଫସଲ ହାନି ହେଉଛି। ଏହା ଗୋଟିଏ ପଟେ ଖାଦ୍ୟ ସଙ୍କଟ ଠିଆ କରୁଥିବା ବେଳେ ଚାଷୀମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଉଛି। ସମ୍ପ୍ରତି ଜାରି ରହିଥିବା ରାସାୟନିକ ଚାଷ ବ୍ୟବସ୍ଥା ଜଳବାୟୁ ପରିବର୍ତ୍ତନ ସମୟରେ ଅଧିକ ପ୍ରଭାବିତ ହେଉଛି। ଚାଷୀମାନେ ବ୍ୟବହାର କରୁଥିବା ହାଇବ୍ରିଡ ଓ ହାଇ-ୟିଲ୍ଡିଙ୍ଗ ବିହନରେ ପ୍ରଚୁର ପରିମାଣରେ ରାସାୟନିକ ସାର, ବିଷ ଓ ତୃଣନାଶକ ଆଦି ପ୍ରୟୋଗ କରୁଛନ୍ତି। ଏହିସବୁ ବିଷାକ୍ତ ରାସାୟନିକ ଦ୍ୱାରା ମାଟି, ପାଣି, ପବନ ଓ ସମଗ୍ର ପରିବେଶ ନଷ୍ଟ ହେଉଛି ଓ ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ତୀବ୍ର କରୁଛି। ଗୋଟିଏ ପଟେ ଜଳବାୟୁ ପରିବର୍ତ୍ତନ ଯୋଗୁ ରାସାୟନିକ ଚାଷ ବ୍ୟବସ୍ଥାକୁ ଅଧିକ କ୍ଷତି ପହଞ୍ଚୁଥିବା ବେଳେ ଅନ୍ୟପଟେ ରାସାୟନିକ ଚାଷ ବ୍ୟବସ୍ଥା ମଧ୍ୟ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ଅଧିକ ବଢ଼ାଉଛି। ତେଣୁ ବର୍ତ୍ତମାନର ଆବଶ୍ୟକତା ହେଉଛି ଜଳବାୟୁ ତଥା ପରିବେଶ ଉପଯୋଗୀ ଚାଷ।
ହାଇବ୍ରିଡ ଓ ହାଇ-ୟିଲ୍ଡିଙ୍ଗ ବିହନର ଖରା ଓ ବର୍ଷା ସହଣି ଶକ୍ତି ଆଦୌ ନାହିଁ। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସମୟରେ ଖରା ଓ ବର୍ଷାରେ ଭୀଷଣ ଅନିୟମିତତା ସ୍ବାଭାବିକ ହୋଇଥିବା ଯୋଗୁ ରାସାୟନିକ ଚାଷ ବ୍ୟବସ୍ଥା ତିଷ୍ଠି ପାରୁନାହିଁ। ସାମାନ୍ୟ ଅଧିକ ଖରା ହେଲେ ବା ଅନିୟମିତ ବୃଷ୍ଟିପାତ ହେଲେ ହାଇବ୍ରିଡ ଓ ହାଇ-ୟିଲ୍ଡିଙ୍ଗ ବିହନର ଫସଲ ମରିଯାଉଛି। ଫଳରେ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଅତୀତରେ ଆମ ଦେଶର ଚାଷୀଙ୍କ ପାଖରେ ଜଳବାୟୁ ଉପଯୋଗୀ ଦେଶୀ ବିହନ ଥିଲା, ଯାହାର ଖରା ଓ ବର୍ଷା ସହଣି ଶକ୍ତି ଥିଲା। ଖରା କିମ୍ବା ବର୍ଷାରେ ଅନିୟମିତତା ହେଲେ ସେ ବିହନର ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଉ ନ ଥିଲା। ସେହିସବୁ ଦେଶୀ ବିହନକୁ ଚାଷ କରିବା ପାଇଁ ସାର କିମ୍ବା ବିଷ ବି ଆବଶ୍ୟକ ପଡ଼େନି। ଦେଶୀ ବିହନରୁ ପୁନଶ୍ଚ ପରବର୍ତ୍ତୀ ବର୍ଷ ପାଇଁ ବିହନ ସଂରକ୍ଷଣ କରିହେଉଥିଲା। ଏବେ ଯେଉଁ ବିହନ ଚାଷରେ ବ୍ୟବହାର କରାଯାଉଛି, ସେଥିରୁ ପରବର୍ଷ ପାଇଁ ବିହନ ରଖିବା ସମ୍ଭବପର ନୁହେଁ। ଫଳରେ ଚାଷୀକୁ ପ୍ରତି ବର୍ଷ ବିହନ କିଣିବା ପାଇଁ ବଜାରକୁ ଯିବାକୁ ପଡୁଛି। ସମ୍ପ୍ରତି ଉନ୍ନତମାନର ବିହନ ନାମରେ ସମସ୍ତ ଚାଷୀକୁ ଗୋଟିଏ କିମ୍ବା ଦୁଇଟି ପ୍ରକାର ବିହନ ଦିଆଯାଉଛି, ତାହାର ଜଳବାୟୁ ସହଣି ଶକ୍ତି ଆଦୌ ନାହିଁ ଓ ସେସବୁ ବିହନକୁ ନିର୍ଦ୍ଦିଷ୍ଟ ସମୟରେ ତଳି ପକେଇ ନିର୍ଦ୍ଦିଷ୍ଟ ସମୟରେ ରୋଇବାକୁ ପଡ଼େ। ସେଥିରେ ଏପଟ ସେପଟ ହେଲେ ଅମଳ ବାଧାପ୍ରାପ୍ତ ହୁଏ। ଆଜିର ଜଳବାୟୁ ପରିବର୍ତ୍ତନ ଯୁଗରେ ନିର୍ଦ୍ଦିଷ୍ଟ ସମୟରେ ବୁଣିବା ବା ରୋଇବା ଆଦୌ ସମ୍ଭବପର ହୋଇପାରୁନାହିଁ, ଯାହାର ପରିଣାମ ଚାଷୀକୁ ଫସଲହାନି ସହିବାକୁ ପଡ଼େ। ତେଣୁ ଚାଷୀମାନଙ୍କୁ ପୁନର୍ବାର ଆମ ଦେଶୀ ବିହନ ପାଖକୁ ଫେରିବାକୁ ହେବ।
ପୂର୍ବରୁ ଆମ ଦେଶରେ ଏକ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରକାର ଦେଶୀ ଧାନ ବିହନ ଥିଲା। ଆମ ରାଜ୍ୟରେ ତିରିଶ ହଜାରରୁ ଅଧିକ ପ୍ରକାରର ଦେଶୀ ଧାନ ଥିଲା। ବୁଡ଼ି ଅଞ୍ଚଳରେ ହେବା ପରି ଶହେ ପଚାଶ ଦିନିଆ ଧାନ ଓ ପାହାଡ଼ ଉପରେ ହେବା ପରି ପଇଁଚାଳିଶ ଦିନିଆ ଧାନ ବି ଥିଲା। ସେହିସବୁ ଦେଶୀ ବିହନର ରୋଗ ପୋକ ସହଣି ଶକ୍ତି ଯଥେଷ୍ଟ। କିନ୍ତୁ ରାସାୟନିକ ଚାଷକୁ ଅଧିକ ପ୍ରୋତ୍ସାହନ ଦିଆଯିବା ଯୋଗୁ ସେସବୁ ବିହନ ଏବେ ବୁଡ଼ିଗଲାଣି। ଏବେ ସରକାର ଓ ବଜାର ଚାଷୀଙ୍କୁ କେବଳ ଗୋଟିଏ ପ୍ରକାର ଉନ୍ନତମାନର ବିହନ ଚାଷ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି। ଚାଷୀମାନେ ଦୀର୍ଘମିଆଦୀ ଫାଇଦାକୁ ଭୁଲିଯାଇ, ଅଧିକ ଅମଳ ପାଇବା ଆଶାରେ ସେହି ବିହନର ମାୟାରେ ଫସିଗଲେ। ଫଳସସ୍ବରୂପ ଆଜି ପ୍ରାୟତଃ ଗୋଟିଏ ଦୁଇଟି ପ୍ରକାର ଧାନ, ଗହମ ଚାଷ ହେଉଛି। ତେଣୁ ସେଥିରେ ରୋଗ ପୋକ ବଢୁଛନ୍ତି। ରୋଗ ପୋକକୁ ଦମନ କରିବା ପାଇଁ କମ୍ପାନୀମାନେ ଚାଷୀଙ୍କ ହାତକୁ ଚଢ଼ା ଦାମରେ ବିଷ ଧରେଇ ଦେଉଛନ୍ତି। ଯେଉଁ ଚାଷର ଉଦ୍ଦେଶ୍ୟ ଥିଲା ନିରାପଦ ଖାଦ୍ୟ ଉତ୍ପନ୍ନ କରିବା, ସେଠି ଆଜି ବିଷାକ୍ତ ଖାଦ୍ୟ ଉତ୍ପନ୍ନ ହେଉଛି। ନୂଆ ପ୍ରକାର ରୋଗ ବେମାରି ସୃଷ୍ଟି ହେଉଛି। ମାଟିରେ ଥିବା ଉପକାରୀ ଅଣୁଜୀବମାନେ ମରିଯାଉଛନ୍ତି। ମାଟିର ଉର୍ବରତା ହ୍ରାସ ପାଉଛି। ପାଣି ଓ ପବନରେ ବିଷ ମିଶୁଛି। ଯେଉଁ ଚାଷ ବ୍ୟବସ୍ଥା ମଣିଷ ସମାଜକୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା, ତାହା ଆଜି ମଣିଷ ସମେତ ସମଗ୍ର ପରିବେଶକୁ ହାନି ପହଞ୍ଚାଉଛି ଏବଂ ଜଳବାୟୁ ପରିବର୍ତ୍ତନ ଯୁଗରେ ତାହା ତିଷ୍ଠି ପାରୁନାହିଁ। ଜାପାନର କୃଷି ବିଶାରଦ ମାସାନୋବୁ ଫୁକୋକାଙ୍କ ମତରେ ‘ଚାଷର ଲକ୍ଷ କେବଳ ଫସଲର ଅମଳ ବୃଦ୍ଧି କରିବା ନୁହେଁ, ଚାଷ ହେଉଛି ଏକ ଜୀବନଧାରା ଓ ଏହା ମଣିଷ ଜାତିକୁ ଉନ୍ନତି ଦିଗରେ ନେଇଥାଏ’। କିନ୍ତୁ ଆଜି ଠିକ୍ ଏହାର ବିପରୀତ ହେଉଛି। ଆଜିର ରାସାୟନିକ ଚାଷ ମଣିଷ ପେଟକୁ ବିଷ ଦେବା ସହିତ ପରିବେଶରେ ବି ବିଷ ଭରିଦେଉଛି।
ଆମ ଦେଶରେ ଚାଷ ସଂସ୍କୃତି ସହିତ ଜଡ଼ିତ। ସେଥିପାଇଁ ଆମେ କହୁ ଚାଷବାସ। ମାଟିକୁ ନଷ୍ଟ କରି ଅଧିକରୁ ଅଧିକ ଅମଳ କରିବା ଆମ ଦେଶର ସଂସ୍କୃତି ନଥିଲା। ବଜାର ଆଜି ମାନସିକତାକୁ ପରିବର୍ତ୍ତନ କରିଦେଇଛି। ଯେଉଁ ମାଟି ପରବର୍ତ୍ତୀ ଅନେକ ପିଢ଼ିର ଉପଯୋଗରେ ଆସିବ, ତାକୁ ଆମେ ଗୋଟିଏ ବର୍ଷରେ ନଷ୍ଟ କରିବାକୁ ବି ପଛାଉନାହୁଁ। କିନ୍ତୁ ଆଜି ପରିସ୍ଥିତି ଅଧିକ ଜଟିଳ ହୋଇଛି। ଅଧିକ ଅମଳ ପାଇବା ଆଶାରେ ଆମେ ଯେଉଁ ରାସାୟନିକ ଚାଷ ବ୍ୟବସ୍ଥାକୁ ଆପଣେଇଛେ, ଜଳବାୟୁ ପରିବର୍ତ୍ତନ ଯୁଗରେ ସେଥିରୁ ଅଧିକ ଅମଳ ମିଳୁନାହିଁ। ବରଂ ରାସାୟନିକ ଚାଷ ଜଳବାୟୁ ପରିବର୍ତ୍ତନ ସମୟରେ ଅଧିକ ବିପଦପ୍ରବଣ। ତେଣୁ ସମୟ ଆସିଛି, ଆମକୁ ପାରମ୍ପରିକ ଜଳବାୟୁ ଉପଯୋଗୀ ଚାଷ ବ୍ୟବସ୍ଥାକୁ ଫେରିବାକୁ ହେବ। ପୁରୁଣା ଦେଶୀ ବିହନ ସବୁକୁ ଫେରାଇ ଆଣି, ସଂରକ୍ଷଣ କରି ଜୈବିକ ଉପାୟରେ ଚାଷ କରିବାକୁ ହେବ। କେବଳ ଗୋଟିଏ ପ୍ରକାର ବିହନ ଚାଷ ନ କରି ବିହନର ବିବିଧତା ଫେରାଇ ଆଣିବାକୁ ହେବ। ବିହନର ବିବିଧତା ବଢ଼ିଲେ ରୋଗ ପୋକର ଆଶଙ୍କା କମ୍ ହେବ। ଏହା ଦ୍ୱାରା ବିଷମୁକ୍ତ ଖାଦ୍ୟ ମିଳିବା ସହିତ ପରିବେଶ ସୁସ୍ଥ ରହିବ। ଭବିଷ୍ୟତ ପିଢ଼ି ପାଇଁ ଆମେ ଉର୍ବର ମାଟି ଓ ସୁସ୍ଥ ପରିବେଶ ଛାଡ଼ି ଯାଇପାରିବା। ଚାଷ ଭୁଲ୍ ବାଟରେ ଗଲେ, ଆଉ କିଛି ବି ଠିକ ବାଟରେ ଯାଇପାରିବ ନାହିଁ। ଭୁଲ୍ ଚାଷ ବ୍ୟବସ୍ଥା ଯୋଗୁ ସମ୍ପ୍ରତି ଆମେ ଉର୍ବର ମାଟିକୁ ମରୁଭୂମିରେ ପରିଣତ କରିସାରିଲୁଣି। ଯଥାଶୀଘ୍ର ପ୍ରାକୃତିକ ତଥା ଜୈବିକ ଚାଷ ବ୍ୟବସ୍ଥାକୁ ନ ଆପଣେଇଲେ ମାଟିର ସୁରକ୍ଷା ହୋଇପାରିବ ନାହିଁ, ଫଳସ୍ବରୂପ ଭବିଷ୍ୟତ ବି ସୁରକ୍ଷିତ ହୋଇପାରିବ ନାହିଁ। ବିଶିଷ୍ଟ ପରିବେଶବିତ୍ ବନ୍ଦନା ଶିବା କୁହନ୍ତି, ଆଜିର ଯୁଗରେ ପ୍ରାକୃତିକ ତଥା ଜୈବିକ ଚାଷ କରୁଥିବା ଚାଷୀ ହିଁ ଅସଲ ଶାନ୍ତିର ପ୍ରତିଷ୍ଠାତା। କାରଣ ଆଜିର ଔଦ୍ୟୋଗିକ ଚାଷ ବ୍ୟବସ୍ଥା ଭିତରେ ଅଧିକ ହିଂସା, ଅଧିକ ମୃତ୍ୟୁ, ଅଧିକ ଧ୍ୱଂସ ଓ ଅଧିକ ଯୁଦ୍ଧ ନିହିତ ଅଛି। ପ୍ରାକୃତିକ ତଥା ଜୈବିକ ଚାଷ ହିଁ ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ସମୟରେ ମାନବ ଜାତି ପାଇଁ ଏକମାତ୍ର ରାହା।
ବିଚିତ୍ର ବିଶ୍ୱାଳ
ଭିରଙ୍ଗ,ତିରଣ, ଜଗତ୍ସିଂହପୁର
ମୋ:୭୦୭୭୬୭୫୧୭୩