ମାଲକାନଗିରି,୧୨ା୫(ଡି.ଏନ୍.ଏ.): ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଲକାନଗିରି ଜିଲାରେ ଅପହଞ୍ଚ ହୋଇ ରହିଛି। ଜିଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ବ୍ୟବହାର କରିବାକୁ ହେଲେ ଲୋକଙ୍କୁ ଚଢ଼ିବାକୁ ପଡୁଛି ପାହାଡ଼ । କୌଣସି ଜରୁରୀ ପରିସ୍ଥିତିରେ କାହାକୁ ଫୋନ୍ କରିବାକୁ ହେଲେ ଘରୁ ଦୌଡ଼ି ପାହାଡ଼ ଉପରକୁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ସ୍ବାଭିମାନ ଅଞ୍ଚଳର ଧୂଳିପୁଟ, ଗଜଲମାମୁଡ଼ି, କୁରୁମାନୁର୍, ପାପୁଲୁର ଆଦି ୫ଟି ପଞ୍ଚାୟତର ଲୋକମାନେ ଏବେ ସୁଦ୍ଧା ମୋବାଇଲ ନେଟ୍ୱର୍କ ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ପିଲାଙ୍କ ପାଠପଢ଼ା ହେଉ କି ବ୍ୟାଙ୍କ କାମ ଅବା ଅନ୍ଲାଇନ ଫର୍ମ ଫିଲ୍ଅପ୍ରେ ଏହି ଗ୍ରାମଗୁଡ଼ିକରେ ନେଟ୍ୱର୍କ ରହୁ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୋବାଇଲ ନେଟ୍ୱର୍କ ସ୍ଥାପନ ପାଇଁ ବିଗତ ଦିନରେ ଅନେକ ଥର କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ବର୍ତ୍ତମାନ ଯାଏ ପ୍ରତିଶ୍ରୁତିରେ ସୀମିତ ରହିଛି। କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର କଥା କହୁଥିବା ବେଳେ ଉକ୍ତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ କ’ଣ ତାହା ଲୋକେ ଏ ଯାଏ ଜାଣିନାହାନ୍ତି।