Categories: ଖେଳ

ଐତିହାସିକ ଦିନିକିଆ ବିଜୟ ହାସଲ କଲା ବାଂଲାଦେଶ

ସେଞ୍ଚୁରିଆନ,୧୯।୩: ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲରଙ୍କ ଅନୁପସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି ବାଂଲାଦେଶ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶ ୩୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କ୍ରିକେଟର ଯେ କୌଣସି ଫର୍ମାଟରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଦକ୍ଷିଣ ଆଫ୍ରିକାରେ ହରାଇଛି ବାଂଲାଦେଶ। ଏହି ବିଜୟ ସହ ବାଂଲାଦେଶ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ର ଅଗ୍ରଣୀ ହାସଲ କରିଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶକୁ ଧିମା ଆରମ୍ଭ ଦେଇଥିଲେ ଅଧିନାୟକ ତାମିମ ଇକବାଲ (୪୧) ଏବଂ ଲିଟନ ଦାସ(୫୦ ରନ୍‌, ୫ ଚୌକା ଓ ୧ ଛକା)ଙ୍କ ଓପନିଂ ଯୋଡ଼ି। ଏହାପରେ ଶାକିବ ଅଲ ହାସନ (୭୭ ରନ୍‌, ୭ ଚୌକା ଓ ୩ ଛକା) ଓ ୟାସିର ଅଲି (୫୦ ରନ୍‌, ୪ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ବାଂଲାଦେଶ ୫୦ ଓଭରରେ ୭ ଉଇକେଟ କ୍ଷତିରେ ୩୧୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୩୬ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ବାଂଲାଦେଶକୁ ବ୍ୟାକ୍‌ ଫୁଟ୍‌କୁ ଠେଲି ଦେଇଥିଲା ରାସି ଭାନ ଡର ଡୁସେନ (୮୬ ରନ୍‌, ୯ ଚୌକା ଓ ୧ ଛକା) ଏବଂ ଡେଭିଡ୍‌ ମିଲର (୭୯ ରନ୍‌, ୮ ଚୌକା ଓ ୩ ଛକା)ଙ୍କ ଅର୍ଦ୍ଧଶତକୀୟ ଇନିଂସ। କିନ୍ତୁ ଦୁହେଁ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ଦଳ ଆତ୍ମସମର୍ପଣ କରିଥିଲା। ଦଳ ୪୮.୫ ଓଭରରେ ୨୭୬ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଘରୋଇ ଦଳ। ବିଜୟୀ ଦଳ ପାଇଁ ମେହିଦି ହାସନ ୪ ଏବଂ ତାସ୍କିନ ଅହମ୍ମଦ ୩ ଉଇକେଟ ନେଇଥିଲେ।