ଖୁସି ଖବର: ଚଳିତ ମାସରେ ଭାରତରେ ଟ୍ରାଏଲ କରାଯିବ ରୁଷିଆ ଟିକା !

ମସ୍କୋ,୮।୯: ରୁଷିଆର କରୋନା ଭାଇରସ ଟିକା ସ୍ପୁଟନିକ-୫ର ଅନ୍ତିମ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲ ଚଳିତ ମାସରେ ଭାରତରେ ଆରମ୍ଭ କରାଯିବ ବୋଲି ଜଣାପଡିଛି। ତେବେ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅର୍ଥ ଯୋଗଇ ଦେଉଥିବା ଏଜେନ୍ସି ରଷିୟାନ ଡାଇରେକ୍ଟର ଇନଭେଷ୍ଟ ଫଣ୍ଡ(ଆର୍‌ଡିଆଇଏଫ୍‌)ର ସିଇଓ କିରିଲ ଦିମିତ୍ରେଜ କହିଛନ୍ତି ଏହି ଟିକାର କ୍ଲିନିକାଲ ଟ୍ରାଏଲ ଭାରତ ସମେତ ୟୁଏଇ, ସୌଦି ଆରବ, ଫିଲିପିନ୍ସ ଓ ବ୍ରାଜିଲରେ ଚଳିତ ମାସରେ ଆରମ୍ଭ କରାଯିବ। ମିଳିଥିବା ସୂଚନାରୁ ଜଣାପଡିଛି କି ସ୍ପୁଟନିକ-୫ ର କ୍ଲିନିକାଲ ଟ୍ରାଏଲ ୪୦ ହଜାର ଲୋକଙ୍କ ଉପରେ ଆରମ୍ଭ କରାଯାଇଛି। ଏହା ଚଳିତ ମାସରେ କରାଯାଉଥିବା ବେଳେ ଅକ୍ଟୋବର ବା ନଭେମ୍ବରରେ ଏହାର ପରିଣାମ ସାମ୍ନାକୁ ଆସିବ ବୋଲି ଦିମିତ୍ରେଜ କହିଛନ୍ତି। ଅନ୍ୟପଟେ ରୁଷିଆର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ସ୍ପୁଟନିକ-୫ ଭ୍ୟାକ୍ସିନ ରୁଷିଆର ସାଧାରଣ ନାଗରିକଙ୍କ ପାଇଁ ଉବଲବ୍ଧ ହେବ। ଏହାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୧୧ ଅଗଷ୍ଟରେ ଲଞ୍ଚ କରିଥିଲେ। ଏହାକୁ ମସ୍କୋର ଗାମଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ସହଯୋଗରେ ଏଡେନୋଭାଇରସ ବେସ ପ୍ରସ୍ତୁତ କରି ତିଆରି କରିଥିଲା।

Share