Categories: ଖେଳ

‘କୋହଲି ଏବେ ଯେଉଁଭଳି ଖେଳୁଛନ୍ତି, ସହଜରେ ସଚିନଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗିବେ’

ନୂଆଦିଲ୍ଲୀ,୧୨।୧: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନିଜ ଆଦର୍ଶ ବୋଲି ମନେ କରନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲି। ସଚିନଙ୍କ ନାମରେ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକ ରେକର୍ଡ ରହିଛି। ଏଣୁ କୋହଲି ତାଙ୍କ ରେକର୍ଡ ଭାଙ୍ଗି ପାରିବେ କି ନାହିଁ ବୋଲି ସର୍ବଦା ବିତର୍କ ହୋଇଆସିଛି। ନିକଟରେ ମୁମ୍ବାଇରେ ଦିନିକିଆ ବିଶ୍ୱକପ୍‌ ମ୍ୟାଚ୍‌ ସମୟରେ କୋହଲି ସଚିନଙ୍କ ଦିନିକିଆରେ ୪୯ ଶତକର ବିଶ୍ୱ ରେକର୍ଡକୁ ଭାଙ୍ଗିଥିଲେ। ଏବେ ତାଙ୍କ ନଜର ସଚିନଙ୍କ ଟେଷ୍ଟରେ ୫୧ ଏବଂ ଅନ୍ତର୍ଜାତୀୟସ୍ତରରେ ୧୦୦ ଶତକର ରେକର୍ଡ ଉପରେ ରହିଛି। ଏନେଇ ଓ୍ବେଷ୍ଟଇଣ୍ଡିଜକୁ ଦୁଇଥର ବିଶ୍ୱ ଚାମ୍ପିୟନ କରାଇଥିବା ପୂର୍ବତନ ଅଧିନାୟକ କ୍ଲିଭ୍‌ ଲୟଡ୍‌ ମତ ରଖିଛନ୍ତି।

ଲୟଡ୍‌ କୋଲକାତାରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି, ସଚିନଙ୍କ ରେକର୍ଡ ଭାଙ୍ଗିବାକୁ କେତେ ସମୟ ଲାଗିବ ଜାଣେନା। ହେଲେ କୋହଲି ଏବେ ଫିଟ୍‌ ଅଛନ୍ତି। ଯେଉଁଭଳି ଭାବେ ସେ ବ୍ୟାଟିଂ କରୁଛନ୍ତି ସେ କିଛି ବି ରେକର୍ଡ ହାସଲ କରିପାରନ୍ତି।

କୋହଲିଙ୍କର ତିନୋଟି ଯାକ ଫର୍ମାଟରେ ୮୦ ଶତକ ରହିଛି। ଟେଷ୍ଟରେ କୋହଲି ୨୯ ଶତକ ମାରିଥିବା ବେଳେ ଦିନିକିଆରେ ୫୦ ଏବଂ ଟି୨୦ରେ ୧ ଶତକ ରହିଛି। ଅପରପକ୍ଷେ ସଚିନ ଟେଷ୍ଟରେ ୫୧, ଦିନିକିଆରେ ୪୯ ଶତକ ମାରିଥିଲେ। ଟି୨୦ରେ ତାଙ୍କର କୌଣସି ଶତକ ନ ଥିଲା।

Share