Categories: ଜାତୀୟ

ଶିବରାତ୍ରୀ-ମହାପୁରୁଷଙ୍କ ଜୟନ୍ତୀରେ ମାଂସ ଦୋକାନ ବନ୍ଦ…

ଲକ୍ଷ୍ନୌ,୨୫।୧୧: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହାପୁରୁଷଙ୍କ ଜୟନ୍ତୀ ଏବଂ ଶିବରାତ୍ରୀରେ ମାଂସ ଦୋକାନ ବନ୍ଦ ରହିବ। ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ସିନ୍ଧି ସମାଜର ସାଧୁ ଟି.ଏଲ. ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ନଭେମ୍ବର ୨୫ରେ ସାରା ରାଜ୍ୟରେ ମାଂସ ଦୋକାନ ବନ୍ଦ ରହିବ। ଏହି ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସରକାର ଜାରି କରିଥିବା ଆଦେଶରେ ଉଲ୍ଲେଖ କରାଯାଇଛି ଯେ ମହାବୀର ଜୟନ୍ତୀ, ବୁଦ୍ଧ ଜୟନ୍ତୀ, ଗାନ୍ଧୀ ଜୟନ୍ତୀ, ଶିବରାତ୍ରୀ ତଥା ସାଧୁ ଟି.ଏଲ. ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମାଂସ ଦୋକାନଗୁଡ଼ିକ ବନ୍ଦ ରଖାଯିବ। ମହାପୁରୁଷ ଜନ୍ମ ବାର୍ଷିକୀ ଏବଂ ପର୍ବପର୍ବାଣୀ ଅହିଂସା ବାର୍ତ୍ତା ଦେଉଥିବାକୁ ଦୃଷ୍ଟିରେ ରଖି ଏସବୁ ଦିନ ଗୁଡ଼ିକୁ ଅହିଂସା ଦିବସ ଭାବରେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ଏକ ତୀର୍ଥସ୍ଥାନ ଭାବରେ ଘୋଷଣା କରିଥିଲେ। ତୀର୍ଥସ୍ଥାନ ଅଞ୍ଚଳରେ ମଦ ଏବଂ ମାଂସ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏଠାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସ୍ଥା ବିଶ୍ୱାସକୁ ଦୃଷ୍ଟିରେ ରଖି ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଥିଲେ।

Share