ଧର୍ମଶାଳା,୧୨ ।୭: ହିମାଚଳ ପ୍ରଦେଶର ଧର୍ମଶାଳାରେ ମୌସୁମୀର କରାଳ ରୂପ ଦେଖିବାକୁ ମିଳିଛି । ପର୍ଯ୍ୟଟନ ସ୍ଥଳ ଭାଗସୁରେ ସୋମବାର ସକାଳେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଦେଖୁ ଦେଖୁ ଏକ ଛୋଟ ନାଳ ନଦୀର ରୂପ ଧାରଣ କରିଥିଲା । ଏହି ନାଳ ଓଭର ଫ୍ଲୋ ହେବା ଫଳରେ ଏହାର ଆଖପାଖରେ ଥିବା କିଛି ଦାମୀ କାର୍ ପାଣି ସ୍ରୋତରେ ଭାସିଯାଇଥିବା ଦେଖାଯାଇଥିଲା । ତେବେ ଉକ୍ତ ନାଳ ନିକଟରେ କିଛି ହୋଟେଲ ଥିବା ବେଳେ ବାଦଲ ଫଟା ବର୍ଷା ଯୋଗୁ ହୋଟେଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର କିଛି ଜିଲାରେ ରବିବାରଠାରୁ ଲଗାଣ ବର୍ଷା ଲାଗି ରହିଛି । କିଛିଦିନର ଅସହ୍ୟ ଗରମ ପରେ ବର୍ଷା ସିନା ସାମାନ୍ୟ ଶାନ୍ତି ଆଣିଦେଲା । ହେଲେ ଲଗାଣ ବର୍ଷା ଫଳରେ କିଛି ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ଏବେ ସାମ୍ନାକୁ ଆସୁଛି ।