Categories: ଜାତୀୟ

ହିମାଚଳ ପ୍ରଦେଶ କିନ୍ନୋରରେ ବାଦଲ ଫଟା ବର୍ଷା

କିନ୍ନୋର,୧୯ ।୭: ହିମାଚଳ ପ୍ରଦେଶ କିନ୍ନୋରର ଶଲଖର ଗାଁରେ ସୋମବାର ବାଦଲ ଫଟା ବର୍ଷା ହେବା ଫଳରେ ପରିସ୍ଥିତି ଜଟିଳ ହୋଇ ପଡିଛି । ଲୋକେ ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଛନ୍ତି । ତେବେ ବାଦଲ ଫଟା ବର୍ଷା ପରେ ପାହାଡ ଧସିବାର ଦୃଶ୍ୟ ସାଙ୍ଗକୁ ଏହାର ଶବ୍ଦ ସମସ୍ତଙ୍କ ଛାତି ଥରାଇ ଦେଇଛନ୍ତି । ପାହାଡ ଧସିବା ଫଳରେ ନଦୀ, ନାଳର ଛାତି ବି ଫୁଲି ଉଠିଛି । ଘର ନିକଟରେ ଏମିତି ପାଣିର ସୂଅ ଛୁଟିଛି ଯେମିତି ଏହା ଘରକୁ ଭସେଇ ନେବାକୁ ପଣ କରିଛି । ପାହାଡ ଧସିବା ଯୋଗୁଁ କିଛି ଘର ସମ୍ପୂର୍ଣ୍ଣ ଭାବେ ପାଣି କାଦୁଅରେ ଭାସି ଯାଇଥିବା ବେଳେ ଆଉ କିଛି ଘରେ ପାଣି କାଦୁଅ ଭର୍ତ୍ତି ହୋଇଯାଇଥିବା କୁହାଯାଉଛି । ହେଲେ କେହି ମୃତାହତ ହୋଇ ନ ଥିବା ସୂଚନା ରହିଛି ।
ଏହି ବାଦଲ ଫଟା ବର୍ଷାରେ ଭୁଷୁଡି ଯାଇଥିବା ପାହାଡର ମାଟିପାଣି କାଦୁଅ ମଧ୍ୟରେ ଘର ବାହାରେ ଥିବା ଗାଡି ଗୁଡିକ ପୋତି ହୋଇଯାଇଥିବା କୁହାଯାଉଛି । ଏହାସହ ନିକଟରେ ଥିବା ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

Share