ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲ୍ସିୟସକୁ ଖସି ଆସିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୨, ଫୁଲବାଣୀ ୧୩.୫, ସୋନପୁର ୧୪, ଭବାନୀପାଟଣା ୧୪.୪, ଝାରସୁଗୁଡ଼ା ୧୪.୬, ହୀରାକୁଦ ୧୫.୨, ଦେବଗଡ଼ ୧୬, କେନ୍ଦୁଝର ୧୬.୨, ଅନୁଗୋଳ ୧୭, ସମ୍ବଲପୁର ୧୭.୬, ଟିଟିଲାଗଡ଼ ୧୮, ବାରିପଦା ୧୮, ସୁନ୍ଦରଗଡ଼ରେ ୧୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ତେବେ ଆସନ୍ତା ୩୧ରୁ ପାରଦ ପୁଣି ଉପରମୁହାଁ ହେବ। ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ରାଜ୍ୟକୁ ପ୍ରବେଶ କରିବ। ଏଥିଯୋଗୁ ଆକାଶ ମେଘାଚ୍ଛନ୍ନ ରହିବା ସହ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା କୁହୁଡ଼ି ହେବାର ସମ୍ଭାବନା ରହିଛି।