ଭୁବନେଶ୍ୱର,୨୩।୯(ବ୍ୟୁରୋ): ସମୁଦ୍ର ପତ୍ତନ ଠାରୁ ୧.୫ ରୁ ୪.୫ କିମି ଉଚ୍ଚତା ମଧ୍ୟରେ ବାୟୁମଣ୍ଡଳରେ ଏକ ନିମ୍ନଚାପ ରେଖା ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରୁ ବାହାରି ଉତ୍ତର-ଓଡିଶା, ଉତ୍ତର-ଛତିଶଗଡ ଏବଂ ପୂର୍ବ-ମଧ୍ୟପ୍ରଦେଶ ଦେଇ ଉତ୍ତରପଶ୍ଚିମ-ମଧ୍ୟପ୍ରଦେଶ ଯାଏ ଲମ୍ବିଛି। ଏହାର ପ୍ରଭାବରେ ଉପକୂଳ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲାରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅନ୍ୟପଟେ, ରାଜ୍ୟରେ ଲଘୁଚାପ ପ୍ରଭାବ କମିଛି। ଯାହା ଫଳରେ ବର୍ଷାର ପରିମାଣ କମିଛି। ପାଣିପାଗ ବିଭାଗ ଅନୁଯାୟୀ, ୧ ଜୁନରୁ ୨୨ ସେପ୍ଟେମ୍ବର (୧୧୪ ଦିନ) ମଧ୍ୟରେ ୧୧୫୮.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ରାଜ୍ୟରେ ମୌସୁମୀ ଋତୁର ୧୨୨ ଦିନର ବର୍ଷା ( ୧ ଜୁନ ରୁ ୩୦ ସେପ୍ଟେମ୍ବର) ୧୧୫୫.୩ ମିମିକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ୧୧୦୭.୨ ମିମି ତୁଳନାରେ ୫% ଅଧିକ ବର୍ଷା ରେକର୍ଡ ହୋଇଥବା ବେଳେ ୫ ଜିଲାରେ ସ୍ବାଭାବିକଠାରୁ ଅଧିକ ଏବଂ ୨୫ ଜିଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି।