କମିଲା ଶୀତ: ୮ ଜିଲାରେ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୩.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସୁନ୍ଦରଗଡ଼ ୧୩.୨, ଝାରସୁଗୁଡ଼ାରେ ୧୩.୫ ଡିଗ୍ରୀ ସେଲ୍‌ସିୟସ ଥିବା ଜଣାଯାଇଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ବାତ୍ୟା ମାଣ୍ଡୋସ ଯୋଗୁ ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରି ରହିଛି। ଏଥିଯୋଗୁ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଛି। ଏହି ଜଳୀୟବାଷ୍ପ ବାଷ୍ପୀଭୂତ ହେବାକୁ ଆହୁରି ସପ୍ତାହେ ଲାଗିବ। ଆସନ୍ତା ୨୧ ତାରିଖରୁ ପୁଣି ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ସପ୍ତାହେ ଯାଏ ପାଗରେ ବିଶେଷ କିଛି ପରିବର୍ତ୍ତନ ହେବନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ ଓ କଟକ ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।