Categories: ଖେଳ

କଳିଙ୍ଗରେ କ୍ଲବ ଫୁଟ୍‌ବଲ ମହାମୁକାବିଲା: ଘରୋଇ ମାଟିରେ ଶକ୍ତି ଦେଖାଇବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଆଉ ଏକ ମେଗା ଫୁଟବଲ ପ୍ରତିଯୋଗିତା କଳିଙ୍ଗ ସୁପର କପ୍‌। ସୁପର କପ୍‌ର ଏହା ୪ର୍ଥ ସଂସ୍କରଣ। ଏଥର ଓଡ଼ିଶାରେ ପ୍ରତିଯୋଗିତା ହେଉଥିବାରୁ ପ୍ରାୟୋଜକ ଦୃଷ୍ଟିରୁ ଏହାର ନାମ କଳିଙ୍ଗ ସୁପର କପ୍‌ ରଖା ଯାଇଛି। ଓଡ଼ିଶା ଏଫ୍‌ସି ହେଉଛି ଡିଫେଣ୍ଡିଂ ଚାମ୍ପିୟନ। ଗତବର୍ଷ କୋଝିକୋଡ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ଓଡ଼ିଶା ଏଫ୍‌ସି ପ୍ରତିପକ୍ଷ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଥିଲା। ପ୍ରତିଯୋଗିତାରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିବେ।

ଏମାନଙ୍କ ମଧ୍ୟରୁ ଇଣ୍ଡିଆନ ସୁପର ଲିଗ୍‌ର ୧୨ ଦଳ ଏବଂ ଆଇ-ଲିଗ୍‌ର ଶ୍ରେଷ୍ଠ ୪ ଦଳ ସାମିଲ। ଆଇ-ଲିଗ୍‌ରୁ ଗୋକୁଳମ୍‌ କେରଳ ଏଫ୍‌ସି, ଶ୍ରୀନିଡି ଡେକାନ ଏଫ୍‌ସି ଓ ଶିଲଂ ଲାଜଂ ଏଫ୍‌ସି ସିଧାସଳଖ ଯୋଗ୍ୟତା ପାଇଥିବାବେଳେ ଇଣ୍ଟର କାଶୀ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ରାଜସ୍ଥାନ ୟୁନାଇଟେଡ୍‌ ଏଫ୍‌ସିକୁ ୫-୦ ଗୋଲରେ ହରାଇ ମୁଖ୍ୟ ଟୁର୍ନାମେଣ୍ଟରେ ସାମିଲ ହୋଇଛି। ଓଡ଼ିଶା ଏଫ୍‌ସି ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ର ଅନ୍ୟ ଦଳଗୁଡ଼ିକ ହେଲେ ଏଫ୍‌ସି ଗୋଆ, ବେଙ୍ଗାଲୁରୁ ଏଫ୍‌ସି ଓ ଇଣ୍ଟର କାଶୀ।

ପୂର୍ବ ଫର୍ମାଟ ଅନୁସାରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲରେ ପ୍ରବେଶ କରିବ। ପ୍ରଥମ ସେମିଫାଇନାଲ ଚଳିତ ମାସ ୨୪ ଓ ଦ୍ୱିତୀୟ ସେମିଫାଇନାଲ ୨୫ରେ ଖେଳାଯିବ। ଫାଇନାଲ ୨୮ ତାରିଖରେ ଅନୁଷ୍ଠିତ ହେବ। ଚଳିତବର୍ଷ ପ୍ରତି ଦଳରେ ଅତି ବେଶିରେ ୬ ବିଦେଶୀ ଖେଳାଳି ସାମିଲ ହୋଇପାରିବେ। ସେମାନଙ୍କ ମଧ୍ୟରୁ ଜଣେ ଏଏଫ୍‌ସି (ଏସିଆନ ଫୁଟବଲ କନ୍‌ଫେଡେରେଶନ)ର ହେବା ବାଧ୍ୟତାମୂଳକ।

କଳିଙ୍ଗ ସୁପର କପ୍‌ର ମୁଖ୍ୟ ଟୁର୍ନାମେଣ୍ଟ ପୂର୍ବରୁ ସୋମବାର ଅନୁଷ୍ଠିତ ଏକମାତ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଇଣ୍ଟର କାଶୀ ୫-୦ ଗୋଲରେ ରାଜସ୍ଥାନ ୟୁନାଇଟେଡ୍‌କୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ମାରିଓ ବାର୍କୋ ୧୦ ଓ ୭୫ତମ ମିନିଟରେ ୨ଟି ଏବଂ ଏଡ୍‌ମୁଣ୍ଡ ଲାଲରିଣ୍ଡିକା ୫୮, ହାଓବାମ୍‌ ତୋମ୍ବା ସିଂ ୮୭ ଓ ଆଜସାଲ ୮୮ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ବାର୍କୋ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Share