ବନ୍ତ,୨୭।୨(ଡି.ଏନ.ଏ.) ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଥିବା କ୍ଲଷ୍ଟର ସାଲୋ ପଏଣ୍ଟ କାର୍ଯ୍ୟକ୍ଷମ ହେଉନାହିଁ। ଫଳରେ ୨୫ ହେକ୍ଟର ଜମିରେ ପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନାହିଁ ବୋଲି ସେମାନେ କହିଛନ୍ତି।
ଯେ, ଉକ୍ତ ଗ୍ରାମରେ ରାଜ୍ୟ ସରକାରଙ୍କ ଜଳନିଧି ଯୋଜନା ଫେଜ୍-୨ରେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଉଠା ଜଳସେଚନ ନିଗମ ଲିଃ ଦ୍ୱାରା ୧୯ ଲକ୍ଷ ୪୭ ହଜାର ୫ ଶହ ଟଙ୍କା ବ୍ୟୟ ଅଟକଳରେ କ୍ଲଷ୍ଟର ସାଲୋ ପଏଣ୍ଟ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୧ ଫେବୃୟାରୀ ୨୦ରେ ଆରମ୍ଭ ହୋଇ ଗତ ଜୁନ୍ ୧ରେ ଶେଷ ହୋଇଥିଲା। ମାତ୍ର ଗତ ଅଗଷ୍ଟରେ ସମ୍ପୃକ୍ତ ଠିକାଦାର ପରୀକ୍ଷା ମୂଳକ ଭାବେ ପ୍ରକଳ୍ପକୁ ଚଲାଇ ଚାଲି ଯାଇଥିଲେ। ସେତେବେଳେ ପ୍ରକଳ୍ପ ସ୍ଥାନରେ କୌଣସି ମିଟର କିମ୍ବା କାପାସିଟର ଲଗାଯାଇ ନ ଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ନ ଥିଲା। ଏହାମଧ୍ୟରେ ୬ ମାସ ବିତିଯାଇଥିବା ବେଳେ ଉକ୍ତ ପ୍ରକଳ୍ପକୁ ସ୍ଥାୟୀ ଭାବେ କାର୍ଯ୍ୟକ୍ଷମ କରାଯାଇ ନାହିଁ। ଫଳରେ ଏହା ଉପରେ ନିର୍ଭର କରିଥିବା ୫ ଚାଷୀଙ୍କର ୨୫ ହେକ୍ଟର ଜମିରେ ହୋଇଥିବା ପରିବା ଚାଷ ଆଂଶିକ ନଷ୍ଟ ହୋଇଯାଇଛି। ପ୍ରକଳ୍ପ ତୁରନ୍ତ କାର୍ଯ୍ୟକ୍ଷମ ସହ ପରିବା ଚାଷ ନଷ୍ଟ ବାବଦରେ କ୍ଷତିପୂରଣ ଦିଆଯିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଭଦ୍ରକ ସ୍ଥିତ ଉଠା ଜଳସେଚନ ବିଭାଗ ଏସ୍ଡିଓ ଦିଲୀପ ସାହୁଙ୍କୁ ପଚାରିବାରୁ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।