Categories: ଜାତୀୟ

ଗୁଜରାଟ ପରେ ଏଏପିର ହିମାଚଳ ମିଶନ

ଶିମ୍‌ଲା,୨୫।୭: ଆସନ୍ତା ବର୍ଷ ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ପରିପ୍ରେକ୍ଷୀରେ କିଛି ଦିନ ତଳେ ଗୁଜରାଟ ଗସ୍ତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ରାଲି କରି ଶକ୍ତି ପ୍ରଦର୍ଶନ କରିଥିଲେ। ଇତିମଧ୍ୟରେ ସୋମବାର ହିମାଚଳ ପ୍ରଦେଶର ସୋଲାନରେ ସୋମବାର ଆମ ଆଦମୀ ପାର୍ଟି(ଏଏପି) କାର୍ଯ୍ୟାଳୟରେ ୯,୧୯୩ ପଦାଧିକାରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ବର୍ଷା ଯୋଗୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏହି ସମାରୋହରେ ପହଞ୍ଚିପାରି ନ ଥିଲେ। ତେବେ ସୋଲାନର ଏହି ସାଧାରଣ ସଭାକୁ ସେ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଥିଲେ। ଏହି ସମୟରେ କେଜ୍‌ରିଓ୍ବାଲ କହିଛନ୍ତି, କିଛି ମାସ ମଧ୍ୟରେ ହିମାଚଳ ପ୍ରଦେଶରେ ଏଏପିର ପରିବାର ଏତେ ବଡ ହୋଇଯାଇଛି ଯେ, ଆଜି ୯ହଜାରରୁ ଅଧିକ ପଦାଧିକାରୀ ଶପଥ ନେଉଛନ୍ତି। ଏହି ଶପଥ ସଚ୍ଚୋଟତା, ଜାତୀୟ ସ୍ବାର୍ଥ ପାଇଁ। ଆଜି ଆମେ ଶପଥ ନେବୁ ଯେ, ଶରୀର, ମନ ଏବଂ ଧନ ସହିତ ହିମାଚଳବାସୀଙ୍କ ସେବା କରିବୁ। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଦରବୃଦ୍ଧିରୁ ମୁକ୍ତି ଦେବା ଫର୍ମୁଲା କେବଳ ଏଏପି ପାର୍ଟିକୁ ଆସିଥାଏ। ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ମାଗଣା ବିଦ୍ୟୁତ୍‌ ଓ ୭୫ ବିଶିଷ୍ଟ ମହଲା କ୍ଲିନିକ ପ୍ରତିଷ୍ଠା କରାଯାଇଛି। ଏହା ହିମାଚଳରେ ମଧ୍ୟ ହୋଇପାରେ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share