ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ବୁଷ୍ଟର ଡୋଜ ନେବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତର କେତୋଟି ରାଜ୍ୟରେ କରୋନା ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରାଜ୍ୟବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ନିବେଦନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀରେ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ଡୋଜର ମୋଟ ୩.୫ କୋଟିରୁ ଅଧିକ ଟିକା ଦିଆଯାଇଛି। ଇତିମଧ୍ୟରେ ଅଧିକାଂଶ ଦିଲ୍ଲୀବାସୀଙ୍କୁ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇସାରିଛି। କିନ୍ତୁ ରାଜ୍ୟରେ ତୃତୀୟ ଅର୍ଥାତ୍‌ ବୁଷ୍ଟର ଡୋଜ ଟିକା ନେବା ପ୍ରକ୍ରିୟା ବହୁତ ଧୀର ଚାଲିଥିବା ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଏପର୍ଯ୍ୟନ୍ତ ୧୮.୫ ଲକ୍ଷ ଲୋକ ବୁଷ୍ଟର ଡୋଜ ନେଇଛନ୍ତି। ଏହାର ଅର୍ଥ ହେଉଛି ଅନେକ ଲୋକ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇନାହାନ୍ତି ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଅନ୍ୟପଟେ ଯେଉଁମାନଙ୍କର ୧୮ବର୍ଷ ବୟସ କିମ୍ବା ତା’ଠାରୁ ଅଧିକ ଏବଂ ଛଅ ମାସରୁ ପୂର୍ବରୁ ଯେଉଁମାନେ ଦ୍ୱିତୀୟ ଟିକା ନେଇସାରିଛନ୍ତି, ସେମାନେ ବୁଷ୍ଟର ଡୋଜ ନେଇପାରିବେ। ବିଶେଷ କରି ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟକର୍ମୀ, କରୋନା ଯୋଦ୍ଧା ଓ ୧୨-୧୭ ବର୍ଷର ପିଲାମାନଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବାକୁ କେଜ୍ରିଓ୍ବାଲ ନିବେଦନ କରିଛନ୍ତି। ଦିଲ୍ଲୀରେ ଦିନକୁ ୧ଲକ୍ଷ ଲୋକଙ୍କୁ କରୋନା ଡୋଜ ଦେବାର କ୍ଷମତା ରହିଛି, ଯେଉଁଥିରେ ଉଭୟ ବେସରକାରୀ ତଥା ସରକାରୀ ସୁବିଧା ରହିଛି।

 

Share