Categories: ଜାତୀୟ

କଂଗ୍ରେସର ଅଳିଆକୁ ନେବାକୁ ଚାହୁଁନାହିଁ ଏଏପି: କେଜରିୱାଲ

ଅମୃତସର,୨୩ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ପଞ୍ଜାବ ବିଧାନସଭାରେ ନିଜ ଦଳକୁ ଶକ୍ତ କରିବାରେ ଲାଗି ପଡିଛନ୍ତି । ମଙ୍ଗଳବାର ପଞ୍ଜାବରେ ପହଞ୍ଚି ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅମୃତସରରେ ଏକ ଖବରଦାତା ସମ୍ମିଳନୀରେ କେଜରିୱାଲ କହିଛନ୍ତି ସେ କଂଗ୍ରେସର ଅଳିଆ ନେବାକୁ ଚାହୁଁ ନାହାନ୍ତି, ନ ହେଲେ ସନ୍ଧ୍ୟା ସୁଦ୍ଧା କଂଗ୍ରେସର ୨୫ ବିଧାୟକ, ୨-୩ ଏମ୍‌ପି ଏଏପିରେ ଥାଆନ୍ତେ । ଖବରଦାତା ସମ୍ମିଳନୀରେ କେଜରିୱାଲ କହିଛନ୍ତି ସବୁ ଦଳରେ ଏମିତି ମନୋମାଳିନ୍ୟ ଥାଏ । ଯେଉଁମାନଙ୍କୁ ଟିକେଟ ନ ମିଳେ ସେମାନେ ରାଗି ଯାଆନ୍ତି, ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଏ । କିଛି ଲୋକ ମାନି ଯାଆନ୍ତି, ଆଉ କିଛି ଲୋକ ଅଭିମାନ କରି ଅନ୍ୟ ଦଳକୁ ଚାଲି ଯାଆନ୍ତି । ଏବେ କଂଗ୍ରେସର ବହୁତ ଲୋକ ଆମ ସମ୍ପର୍କରେ ରହିଛନ୍ତି, ହେଲେ ଆମେ କଂଗ୍ରେସର ଅଳିଆକୁ ନେବାକୁ ଚାହୁଁନୁ । ସୂଚନାଯୋଗ୍ୟ, ନିକଟରେ ଏଏପିର ଦୁଇ ନେତା ଦଳ ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ କଥା ଉଠିବାରୁ କେଜରିୱାଲ କହିଲେ ତାଙ୍କ ଦଳ ପ୍ରଥମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ।

Share