Categories: ଜାତୀୟ

ରାଜଧାନୀରେ ଶେଷ ହେବ ପାନୀୟ ଜଳ ସମସ୍ୟା

ନୂଆଦିଲ୍ଲୀ,୨୬ ।୨: ରାଜଧାନୀବାସୀଙ୍କୁ ଆଉ ପାଣି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଫଳରେ ପ୍ରତି ଘରେ ୨୪ ଘଣ୍ଟା ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ବର୍ଷାଦିନେ ଯମୁନା ନଦୀରେ ଆସୁଥିବା ଅଧିକ ପାଣିକୁ ଷ୍ଟୋର କରି ଏହାକୁ ପାନୀୟ ଜଳ ଭାବେ ବ୍ୟବହାର କରାଯିବ । ଏ ନେଇ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି । କେଜରିୱାଲ କହିଛନ୍ତି ବର୍ଷାଦିନେ ଯମୁନା ନଦୀରେ ଆସୁଥିବା ଅଧିକ ଜଳକୁ ସଂରକ୍ଷଣ କରିବା ଲାଗି ବଜିରାବାଦ ଜଳାଶୟର ଉପରିଭାଗରେ ୪୫୯ ଏକର ବିଶିଷ୍ଟ କ୍ୟାଚମେଣ୍ଟ ୱେଟଲ୍ୟାଣ୍ଡ ତିଆରି କରାଯିବ । ଏଥିରେ ଅଧିକ ଜଳକୁ ସଂଗ୍ରହ କରାଯାଇ ବିଶୁଦ୍ଧ କରାଯିବା ପରେ ଲୋକଙ୍କ ପାନୀୟ ଜଳ ଲାଗି ଏହାକୁ ବ୍ୟବହାର କରାଯିବ । ଏହି ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ୨୦ ଏକରର ଅଫ ରିଭର ମିନି ଜଳାଶୟ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ସରକାର ଏହାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରିବାକୁ ଯାଉଛନ୍ତି । ଯଦି ଏହା ସଫଳ ହେଲା ତେବେ ଆହୁରି ଅଧିକ ଜଳାଶୟ କରି ବର୍ଷା ପାଣିକୁ ସଂଗୃହିତ କରାଯାଇ ଏହାକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରାଯିବ ।

Share