Categories: ଜାତୀୟ

ଟଙ୍କାରେ ମା’ ଲକ୍ଷ୍ମୀ, ଗଣେଶଙ୍କ ଫଟୋ ରଖିବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ନୂଆ ନୋଟ୍‌ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସହ ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ଫଟୋ ରଖିବାକୁ ଦାବି କରିଛନ୍ତି। କେଜ୍‌ରିୱାଲ ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିବା ଚିଠିକୁ ଟୁଇଟ୍‌ କରି ଲେଖିଛନ୍ତି, ମୁଁ ୧୩୦ କୋଟି ଭାରତୀୟଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛି। ଭାରତୀୟ ନୋଟ୍‌ରେ ଗୋଟିଏ ପଟେ ଗାନ୍ଧୀ ଜୀ ଏବଂ ଅନ୍ୟ ପଟେ ପ୍ରଭୁ ଶ୍ରୀ ଗଣେଶ ଏବଂ ଲକ୍ଷ୍ମୀ ମା’ଙ୍କର ଫଟୋ ରହୁ। ଏହା ସମସ୍ତେ ଚାହାନ୍ତି। ଆଜି ଦେଶର ଅର୍ଥନୀତି ଅତ୍ୟନ୍ତ ଖରାପ ପର୍ଯ୍ୟାୟରେ ଗତି କରୁଛି।
ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତକୁ ଗରିବ ଦେଶମାନଙ୍କ ମଧ୍ୟରେ ଗଣାଯାଉଛି। ଏବେ ବି ଅନେକ ଲୋକ ଦାରିଦ୍ର୍ୟ ସୀମା ରେଖା ତଳେ ରହିଛନ୍ତି। ଏମିତି କାହିଁକି ବୋଲି କେଜ୍‌ରିଓ୍ବାଲ ଚିଠି ଜରିଆରେ ପ୍ରଶ୍ନ କରିଛନ୍ତି।
କେଜ୍‌ରିଓ୍ବାଲ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ପଟେ ଦେଶବାସୀ କଠିନ ପରିଶ୍ରମ କରିବା ଆବଶ୍ୟକ ଏବଂ ଅନ୍ୟ ପଟେ ଆମକୁ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ଦରକାର, ଯାହା ଦ୍ୱାରା ଆମର ଉଦ୍ୟମ ଫଳପ୍ରଦ ହେବ। ସଠିକ ନୀତି, ପରିଶ୍ରମ ଏବଂ ଇଶ୍ବରଙ୍କ ଆଶୀର୍ବାଦ କେବଳ ଦେଶକୁ ଅଗ୍ରଗତି କରିବ। ଯଦି ଆମେ ଟଙ୍କାର ଗୋଟିଏ ପାର୍ଶ୍ୱରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ଛାପନ୍ତେ, ତା’ହେଲେ ସମଗ୍ର ଦେଶ ସେମାନଙ୍କ ଆଶୀର୍ବାଦ ପାଆନ୍ତା। ଲକ୍ଷ୍ମୀ ସମୃଦ୍ଧିର ଦେବୀ ହୋଇଥିବା ବେଳେ ପ୍ରଭୁ ଗଣେଶ ବିଘ୍ନ ନାଶ କରନ୍ତି। ଇଣ୍ଡୋନେସିଆର ଉଦାହରଣ ଦେଇ ଭାରତରେ ସେ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଜରିଆରେ ନିବେଦନ କରିଛନ୍ତି।

Share