Categories: ଜାତୀୟ

ମହିଳାଙ୍କୁ ଗେହଲୋଟଙ୍କ ଉପହାର

ଜୟପୁର,୨୨।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମହିଳାମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏବେ ରାଜସ୍ଥାନ ରୋଡଓ୍ବେଜର ସମସ୍ତ ଶ୍ରେଣୀର ବସରେ ମହିଳା ଯାତ୍ରୀ ଅଧା ଦାମରେ ଯାତ୍ରା କରିବେ। ରାଜ୍ୟ ସରକାର ସେମାନଙ୍କୁ ରୋଡଓ୍ବେଜର ସମସ୍ତ ବସରେ ଭଡା ୫୦ ପ୍ରତିଶତ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରବକ୍ତା ଗୁରୁବାର ଏହି ସୂଚନା ଦେଇଛନ୍ତି।

ପ୍ରବକ୍ତା କହିଛନ୍ତି, ରାଜ୍ୟ ସରକାର ବସରେ ଯାତ୍ରା କରୁଥିବା ମହିଳାଙ୍କ ପାଇଁ ରିହାତି ସୀମା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ରାଜ୍ୟ ସୀମା ମଧ୍ୟରେ ରାଜସ୍ଥାନ ରାଜ୍ୟ ସଡ଼କ ପରିବହନ ନିଗମ ବସର ସମସ୍ତ ବର୍ଗରେ ମହିଳା ଓ ବାଳିକାଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଅନୁମୋଦନ କରିଛନ୍ତି।
ଏହି ପ୍ରସ୍ତାବ ଅନୁଯାୟୀ, ରାଜସ୍ଥାନ ରାଜ୍ୟ ସଡକ ପରିବହନ ନିଗମ ବସର ସମସ୍ତ ଶ୍ରେଣୀରେ ଯାତ୍ରା କରିବା ପାଇଁ ମହିଳା ଓ ବାଳିକାଙ୍କୁ ଅଧା ଭଡା ଆଦାୟ କରାଯିବ। ବର୍ତ୍ତମାନ ସାଧାରଣ ଶ୍ରେଣୀ ବସରେ ଯାତ୍ରା କରିବା ପାଇଁ ମହିଳା ଓ ବାଳିକାମାନଙ୍କୁ ୫୦ପ୍ରତିଶତ ରିହାତି ଦିଆଯାଉଥିଲା।

ସୂଚନାଯୋଗ୍ୟ ଯେ ୨୦୨୩-୨୪ ବଜେଟରେ ସାଧାରଣ ସଡ଼କପଥ ବସରେ ଯାତ୍ରା କରିବା ପାଇଁ ମହିଳାମାନଙ୍କୁ ଦିଆଯାଉଥିବା ରିହାତିକୁ ୩୦ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଘୋଷଣା ଏପ୍ରିଲ ୧, ୨୦୨୩ରୁ କାର୍ଯ୍ୟକାରୀ କରାଯାଇଥିଲା।

Share